ଏସିଆ କପ୍-୨୦୨୨ : ସୁପର-୪ରେ ଶ୍ରୀଲଙ୍କା, ବିଦା ହେଲା ବାଂଲାଦେଶ
Asia Cup 2022: Sri Lanka beat Bangladesh by 2 wickets, qualify for Super Four.
ନୂଆଦିଲ୍ଲୀ : ଏସିଆ କପର ଗୁରୁବାର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ହରାଇ ଶ୍ରୀଲଙ୍କା ସୁପର-୪ରେ ପ୍ରବେଶ କରିଛି | ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୭ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କାର ୪ଟି ବଲ ବାକି ଥାଇ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ଦଳ ପକ୍ଷରୁ କୁସଲ ମେଣ୍ଡିସ ସର୍ବାଧିକ ୬୦ ରନ କରିଥିବା ବେଳେ କ୍ୟାପଟେନ ଦାସୁନ ସନକା ଗୁରୁତ୍ୱପୂର୍ଣ୍ଣ ୪୫ ରନ୍ କରିଥିଲେ । ଆଫଗାନିସ୍ତାନ ପରେ ଗ୍ରୁପ୍-ବି’ରୁ ଦ୍ବିତୀୟ ଦଳ ଭାବେ ସୁପର-୪କୁ ଉନ୍ନୀତ ହୋଇଥିବା ବେଳେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।
ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାର ହୋଇଥିବା ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ମ୍ୟାଚର ଅଧିକାଂଶ ସମୟ ବାଂଲାଦେଶ ସପକ୍ଷରେ ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ କ୍ୟାଚ୍ ଛାଡ଼ିବା ଓ ନୋ ବଲ ପକାଇବା ବାଂଲା ଟାଇଗରକୁ ମହଙ୍ଗା ପଡ଼ିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୩ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ୪ ବଲ ପୂର୍ବରୁ ମ୍ୟାଚ୍କୁ ଜିତି ନେଇଛି। ଶ୍ରୀଲଙ୍କା ପକ୍ଷରୁ ଓପନର କୁଶଲ ମେଣ୍ଡିସ ୩୭ ବଲରେ ସର୍ବାଧିକ ୬୦ ରନର ଇନିଂସ ଖେଳିଥିଲେ। ସେହିପରି ଅଧିନାୟକ ଦସୁନ ଶଣକା ଗୁରୁତ୍ୱପୂର୍ଣ୍ଣ ୪୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଥୁନ ନିଶାଙ୍କା ୨୦, ଚାମିକା କରୁଣାରତ୍ନେ ୧୬ ଓ ଦାନୁସ୍କା ଗୁଣତଲକା ୧୧ ରନର ଇନିଂସ ଖେଳିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଣ୍ଡିସ ୨୭ ରନ କରିଥିବା ବେଳେ ଆଉଟ ହୋଇଯାଇଥିଲେ। ହେଲେ ଏହା ନୋ ବଲ ହେବାରୁ ତାଙ୍କୁ ଜୀବନ ଦାନ ମିଳିଥିଲା। ଏହାର ଫାଇଦା ମଧ୍ୟ ଉଠାଇ ସେ ବିସ୍ଫୋରକ ୬୦ ରନର ଇନିଂସ ଖେଳିଥିଲେ। ଏଥିସହ ଶ୍ରୀଲଙ୍କାର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଏହି ମ୍ୟାଚ୍ ବିଜୟୀ ଇନିଂସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
ଶ୍ରୀଲଙ୍କାକୁ ଶେଷ ଓଭରରେ ଜିତିବା ପାଇଁ ୮ ରନ ଦରକାର ଥିବା ବେଳେ ପ୍ରଥମ ବଲରେ ମହୀଶ ତିକଶାନା ୧ ରନ ନେଇଥିଲେ। ଏହାପରେ ଅସିତ ଫର୍ଣ୍ଣାଡୋ ୪ ଚୌକା ମାରିଥିଲେ। ଶେଷ ୪ ବଲରେ ଶ୍ରୀଲଙ୍କାକୁ ୩ ରନ ଦରକାର ଥିଲା। ହେଲେ ମାହେଦି ହାସନଙ୍କ ୩ୟ ବଲଟି ନୋ ହୋଇଥିଲା। ଏଥିସହ ଫର୍ଣ୍ଣାଡୋ ଏହି ନୋ ବଲରେ ୨ ରନ ଆଦାୟ କରି ନେଇଥିଲେ। ଫଳରେ ଶ୍ରୀଲଙ୍କା ୪ ବଲ ପୂର୍ବରୁ ବିଜୟ ହାସଲ କରି ସୁପର ୪ରେ ପ୍ରବେଶ କରିଥିଲା। ବାଂଲାଦେଶ ପକ୍ଷରୁ ଡେବ୍ୟୁଟାଣ୍ଟ ଇବାଦତ ହୁସେନ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ତସ୍କିନ ଅହମ୍ମଦ ୨ଟି, ମୁସ୍ତାଫିଜୁର ରହମାନ ଓ ମାହେଦି ହାସନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
