ଏସିଆ କପ୍-୨୦୨୨; ଆଜି ଭାରତ-ପାକିସ୍ତାନ ଲଢ଼େଇ
ଦୁବାଇ: ଏସିଆ ମହାଦେଶର ୬ ଶକ୍ତିଶାଳୀ କ୍ରିକେଟିଂ ଦେଶକୁ ନେଇ ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ ୨୦୨୨ । ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କା ସାମ୍ନାରେ ରହିଛି ଆଫଗାନିସ୍ତାନ । ଶ୍ରୀଲଙ୍କା ଏସିଆ କପ ଆୟୋଜନର ଅଧିକାର ପାଇଥିଲେ ମଧ୍ୟ ମ୍ୟାଚ୍ ଗୁଡ଼ିକ ୟୁଏଇରେ ଖେଳାଯିବ । ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବାରୁ ଟୁର୍ଣ୍ଣାମେଂଟକୁ ଦୁବାଇ ସ୍ଥାନନ୍ତର କରାଯାଇଛି । ହେଲେ ହୋଷ୍ଟିଂ ଅଧିକାର ଶ୍ରୀଲଙ୍କା ପାଖରେ ରହିଛି । ଭାରତୀୟ ସମୟ ୭.୩୦ରେ ଦୁବାଇରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ମୁହାଁମୁହିଁ ହେବେ । ଶ୍ରୀଲଙ୍କା ଏସିଆ କପ ୫ଥର ଜିତିଥିବା ବେଳେ ଆଫଗାନିସ୍ତାନ ଏଯାଏ ଏହି ସଫଳତା ହାସଲ କରିପାରି ନାହିଁ । ତେଣୁ ଆଫଗାନିସ୍ତାନ ନୂଆ ଜୋଶ ସହ ଆଜି ମୈଦାନକୁ ଓହ୍ଲାଇବ ବୋଲି ସମସ୍ତେ ଆଶା ରଖିଛନ୍ତି ।
ଟୁର୍ଣ୍ଣାମେଂଟ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଉଛି । ଏହାର ଅର୍ଥ ୬ଟି ଟିମକୁ ଦୁଇ ଗ୍ରୁପ୍ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍ରେ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ । ଏହାପରେ ଦୁଇଟି ଗ୍ରୁପ୍ରୁ ଟପ୍ ୪ଟି ଦଳ ସୁପର ୪ରେ ପ୍ରବେଶ କରିବେ । ସେଠାରେ ପୁଣିଥରେ ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ । ସୁପର ୪ର ଟପ୍ ୨ ଟିମ୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଗ୍ରୁପରେ ଏ’ ଭାରତ, ପାକିସ୍ତାନ ଓ ହଂକଂ ଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି । ଟୁର୍ଣ୍ଣାମେଂଟର ସବୁଠାରୁ ବଡ଼ ମୁକାବିଲା ରବିବାର ସନ୍ଧ୍ୟା ୭.୩୦ରେ ଖେଳାଯିବ । ଭାରତ ଓ ପାକିସ୍ତାନ ଏହି ମ୍ୟାଚରେ ମୁହାଁମୁହିଁ ହେବେ । ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ଦୁବାଇରେ ହିଁ ଭାରତକୁ ଏକତରଫା ଭାବେ ପରାସ୍ତ କରିଥିଲା । ଏହାର ପ୍ରତିଶୋଧ ନେବାକୁ ରୋହି ଶର୍ମା ଆଣ୍ଡ କୋ ପୂରା ସୁଯୋଗ ଅପେକ୍ଷା ରହିଛନ୍ତି । ଏସିଆ କପର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ । ସେହିପରି ଟିମ୍ ଇଣ୍ଡିଆ ୭ଥର ଏସିଆ କପ ଜିତିଛି । ଦୁଇ ଥର ଟୁର୍ଣ୍ଣାମେଂଟରେ ଚାମ୍ପିୟନ ହୋଇଥିବା ପାକିସ୍ତାନ ଖାତା କଲମରେ ଭାରତ ତୁଳନାରେ ସାମାନ୍ୟ ଦୁର୍ବଳ । ହେଲେ ପାକିସ୍ତାନର ଗଲା କିଛି ମ୍ୟାଚକୁ ଦେଖିଲେ, ଭାରତ ପାଇଁ ମ୍ୟାଚରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ।
ଭାରତୀୟ ଦଳର ୩ ପ୍ରମୁଖ ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଏବେ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ରାହୁଲ ଜିମ୍ବାୱେ ବିପକ୍ଷ ଦିନିକିଆରେ ମାତ୍ର ୧ ଓ ୩୦ ରନ କରି ପାରିଛନ୍ତି । ସେହିପରି ବିରାଟ ଆଇପିଏଲ ଠାରୁ ଫର୍ମରେ ନାହାନ୍ତି । ରୋହିତ ଶର୍ମା ଅଧିନାୟକ ହୋଇଥିଲେ ମଧ୍ୟ ବେଶ କିଛି ମ୍ୟାଚରେ ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନି । ଆଗକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ । ଏହାପୂର୍ବରୁ ଏହି ୩ ବ୍ୟାଟରଙ୍କୁ ଫର୍ମକୁ ଫେରିବା ପାଇଁ ଏସିଆ କପରେ ସୁଯୋଗ ମିଳିବ । ଟିମ ଇଣ୍ଡିଆରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ନାହାନ୍ତି । ସେହିପରି ଆହତ ଯୋଗୁ ହର୍ଷଲ ପଟେଲ ଏସିଆ କପ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି । ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେଶ ଖାନ ଦ୍ରୁତ ବୋଲିଂ ବାହିନୀରେ ଅଛନ୍ତି । ଏମାନଙ୍କୁ ସାଥ ଦେବା ପାଇଁ ହାର୍ଦ୍ଦିକ ପାଣ୍ତ୍ୟା ଅଲରାଉଣ୍ଡର ଭାବେ ଟିମ୍ରେ ରହିଛନ୍ତି । ସ୍ପିନର ଭାବେ ଭାରତୀୟ ସ୍କ୍ୱାଡରେ ରବୀନ୍ଦ୍ର ଜେଡାଜେ, ୟୁଜି ଚହଲ ଓ ରବି ଅଶ୍ୱିନ ଦୁବାଇ ଗସ୍ତରେ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ କେଉଁ ଦୁଇ ଜଣ ଖେଳିବେ, ତାହା ମଧ୍ୟ ବଡ଼ ଚ୍ୟାଲେଞ୍ଜ । ଦୀନେଶ କାର୍ତିକ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ, ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ସୂର୍ଯ୍ୟ କୁମାର ଯାଦବ ଓ ଋଷଭ ପନ୍ତ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାରର ନିଶ୍ଚିତ । ସେହିପରି ପାଣ୍ଡ୍ୟା କେତେ ନମ୍ବରରେ ବ୍ୟାଟିଂ କରିବେ, ତା’ହା ମଧ୍ୟ ଏକ ବଡ଼ ପ୍ରଶ୍ନ ।
ଅନ୍ୟପକ୍ଷରେ ପାକିସ୍ତାନ ଟିମ୍ରେ ଦ୍ରୁତ ବୋଲର ଶାହୀନ ଆଫ୍ରିଦ ନାହାନ୍ତି । ସେହିପରି ୱାସିମ ଜୁନିୟର ମଧ୍ୟ ଆହତ କାରଣରୁ ଏସିଆ କପରୁ ବାଦ ପଡ଼ିଛି । ତେବେ ହାସନ ଅଲୀ ବଦଳ ଖେଳାଳି ଭାବେ ସ୍ଥାନ ପାଇବା ଟିମ୍ ପାକିସ୍ତାନର ମନୋବଳକୁ ବୃଦ୍ଧି କରିଛି । ଏହାବାଦ ଅଧିନାୟକ ବାବର ଆଜମ ଓ ଉପ ଅଧିନାୟକ ମହମ୍ମଦ ରିଜୱାନ ଜବରଦସ୍ତ ଫର୍ମରେ ଅଛନ୍ତି । ଉଭୟ ଟି-୨୦ ବିଶ୍ୱକପରେ ଭାରତକୁ ଏକତରଫା ଭାବେ ପରାସ୍ତ କରିଥିଲେ । ତେଣୁ ସେମାନଙ୍କ ୱିକେଟ ସଅଳ ଦଖଲ କରିପାରିଲେ ଭାରତ ମ୍ୟାଚ୍ରେ ନିଜର କବଜା କରିପାରିବ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି । ଏସିଆ କପର ରେକର୍ଡକୁ ଦେଖିଲେ ଭାରତ ଓ ପାକିସ୍ତାନ ଏଯାଏ ୧୪ଟି ମ୍ୟାଚ୍ରେ ମୁହାଁମୁହିଁ ହୋଇଛି । ଭାରତ ୮ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ୫ଟିରେ ବାଜିମାତ କରିଛି । ସେହିପରି ଗୋଟିଏ ମ୍ୟାଚ୍ର ରେଜଲ୍ଟ ବର୍ଷା ଯୋଗୁ ବାହାରି ପାରି ନାହିଁ ।
ଗତ ୧୨ ମାସ ମଧ୍ୟରେ ପାକିସ୍ତାନ ଦଳ ନିଜ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିଥିବା ବେଳେ ଭାରତ ମଧ୍ୟ ନିକଟ ଅତୀତରେ ଏକାଧିକ ଟି-୨୦ ଓ ଦିନିକିଆ ସିରିଜରେ ବିଜୟୀ ହୋଇଛି । ତେଣୁ ଉଭୟ ଦଳ ଏସିଆ କପରେ ସେମାନଙ୍କର ଦକ୍ଷତା ପ୍ରତିାଦନ ପାଇଁ ବରାବର ଚେଷ୍ଟା କରିବେ । କାରଣ ଆଗାମୀ ଟି-୨୦ ବିଶ୍ୱକପରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଗତ ବର୍ଷ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଥିଲା ପାକିସ୍ତାନ । ତେଣୁ ଏସିଆ କପରେ ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତକୁ ସୁଯୋଗ ମିଳିଛି । ପାକିସ୍ତାନ ଦଳର ଦୁଇ ଜଣ ପ୍ରମୁଖ ପେସ୍ ବୋଲର ଆହତ କାରଣ ନେଇ ଏସିଆ କପରୁ ଓହରି ଯାଇ ଥିଲେ ହେଁ ଦଳରେ ଆହୁରି ଏକାଧିକ ମ୍ୟାଚ ବିଜୟୀ ବ୍ୟାଟର ଓ ବୋଲର ଅଛନ୍ତି । ସେହିପରି ଭାରତୀୟ ଦଳରେ ସମସ୍ତ ପୁରୁଖା ଖେଳାଳିଙ୍କ ସହିତ ଯୁବ ଖେଳାଳି ସ୍ଥାନ ପାଇଛନ୍ତି । କେବଳ ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଏସିଆ କପ ଦଳରେ ନାହାନ୍ତି । ସେହିପରି ସୀମିତ ଓଭର ଫର୍ମାଟରେ ସାମାନ୍ୟ ଦୂର୍ବଳ ପ୍ରଦର୍ଶନ କରି ଆସୁ ଥିଲେ ହେଁ ଭେଟେରାନ ଅଲରାଉଣ୍ଡର ସକିବ ଅଲ ହାସନ ଦଳକୁ ଫେରିବା ପରେ ଦଳର ଶକ୍ତି ଆହୁରି ଅଧିକ ବୃଦ୍ଧି ପାଇଛି । ସେହିପରି ନୂତନ ଭାବେ ନିଯୁକ୍ତ ଟେକନିକାଲ ଡାଇରେକ୍ଟର ଶ୍ରୀଧରନଶ୍ରୀ ରାମ ବାଂଲା ଦେଶ ଦଳକୁ ସଡିକ ମାର୍ଗରେ ପରିଚାଳିତ କରି ପାରିବେ ବୋଲି ଅନୁମାନ । ଅନ୍ୟ ପକ୍ଷରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟି-୨୦ ଫର୍ମରଟରେ ମଧ୍ୟ ଦୁର୍ବଳ ନୁହନ୍ତି । ସୂଚନା ଯେ, ଭାରତ ସର୍ବାଧିକ ବାର ଏସିଆ କପ ଟାଇଟଲ ହାସଲ କରି ଥିବା ବେଳେ ୨୦୧୮ରେ ଶେଷ ଥର ପାଇଁ ଅନୁଷ୍ଠିତ ଏହି ମହାଦେଶୀୟ ପ୍ରତିଯୋଗିତାରେ ଚାମ୍ପିଅନ ହୋଇ ଥିଲା । ପାକିସ୍ତାନ ୧୦ ବର୍ଷ ତଳେ ଶେଷ ଥର ପାଇଁ ଚାମ୍ପିଅନ ହୋଇ ଥିବା ବେଳେ ଚଳିତ ବର୍ଷ ପୁଣି ଟାଇଟଲ ହାସଲ ପାଇଁ ଉଦ୍ୟମ କରିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପରେ ୧୪ ଥର ମୁକାବିଲା ହୋଇଛି । ଏଥିରୁ ଭାରତ ୮ ଓ ପାକିସ୍ତାନ ୫ ଥର ବିଜୟୀ ହୋଇ ଥିବା ବେଳେ ଗୋଟିଏ ମ୍ୟାଚ ଫଳାଫଳ ଫଇସଲା ହୋଇ ପାରି ନ ଥିଲା । ସେହିପରି ମହମଦ ନବିଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳ ମଧ୍ୟ ଅନ୍ୟ ଦଳ ବିରୋଧରେ କଡା ମୁକାବିଲା କରିବା ଲକ୍ଷ୍ୟ ରଖିଛି ।
