ବାଲେଶ୍ୱରରେ ‘ଅସ୍ମିତାର ଲହରୀ’ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ବାଲେଶ୍ୱର : ଓଡ଼ିଶା ଲଳିତକଳା ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ତଥା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ‘ଅସ୍ମିତାର ଲହରୀ’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ସଂସ୍କୃତି ଭବନ ପରିସରସ୍ଥ ଲଳିତକଳା ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ରବିବାର ଉଦଘାଟିତ ହୋଇଯାଇଛି । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଯୁବଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳାରେ ଆୟୋଜିତ ଏହି ପ୍ରଦର୍ଶନୀ ବାଲେଶ୍ୱରର ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ପ୍ରେରଣା ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରଥିଲେ । ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ଏହି ଉଦଘାଟନୀ ଉତ୍ସବରେ ପୌରୋହିତ୍ୟ କରିବା ସହ ପ୍ରଦର୍ଶନୀ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ୪୫ରୁ ଊର୍ଦ୍ଧ୍ୱ ଉଦୀୟମାନ ଚିତ୍ରଶିଳ୍ପୀଙ୍କ ଅସ୍ମିତା ଲହରୀ ଶୀର୍ଷକ ଚିତ୍ରକଳା ଏଥିରେ ପ୍ରଦର୍ଶିତ ହେଉଛି । ଏହି ପ୍ରଦର୍ଶନୀ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେହ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
