ଆଜିଠାରୁ ଶିମିଳିପାଳରେ କୁମ୍ଭୀର ଗଣନା ଶିମିଳିପାଳରେ ୨୦୨୧ରେ ୮୧ଟି ଓ ୨୦୨୨ରେ ୮୩ଟି କୁମ୍ଭୀର ଥିଲେ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶିମିଳି ପାଳ ଅଭୟାରଣ୍ୟରେ ଜାନୁୟାରୀ ୬ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା କାର୍ଯ୍ୟ ଚାଲିବ ବୋଲି ଜଣାଯାଇଛି । ଏହି ଗଣନାରେ ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ନାଳ ଗୁଡିକରେ କୁମ୍ଭୀର ଗଣନା କରାଯାଉଥିବାର ଜଣାଯାଇଛି । ସୁବିସ୍ତିର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ଭିତରେ ଏବଂ ପାଦଦେଶ ଦେଇ ଯାଇଥିବା ୱେଷ୍ଟ ଦେଓ ନଦୀ, ଇଷ୍ଟ ଦେଓ ନଦୀ, ଖଈରି ନଦୀ, ଖଡ଼ଖାଇ, ଠକଠକି, ବୁଢ଼ାବଳଙ୍ଗ ନଦୀ ସହିତ ଯଶିପୁର ରାମତୀର୍ଥ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ମଧ୍ୟ କୁମ୍ଭୀର ଗଣନା କରାଯାଉଛି । ଗଣନାରେ ଉତର ଶିମିଳିପାଳରେ ୭ଟି ଓ ଦକ୍ଷିଣ ଶିମିଳିପାଳରେ ୯ଟି ରେଂଜର ପ୍ରତି ରେଂଜ ପାଇଁ ଗୋଟିଏ ଲେଖାଁଏ ଟିମ ଗଠନ କରାଯାଇ କୁମ୍ଭୀର ଗଣନା ଚାଲିଥିବା ବେଳେ, ପ୍ରତି ଟିମ୍ରେ ରେଂଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ମିଶାଇ ୭ଜଣ ସଦଶ୍ୟ ରହିଛନ୍ତି । ପୂର୍ବରୁ ୨୦୨୧ ଗଣନାରେ ୮୧ଟି ଓ ୨୦୨୨ରେ ଗଣନାରେ ୮୩ଟି କୁମ୍ଭୀର ଶିମିଳିପାଳ ଅଭୟାରଣ୍ୟରେ ଥିଲେ ବୋଲି ସୂଚନା ମିଳିଥିବା ବେଳେ ଚଳିତ ଗଣନାରେ କୁମ୍ଭିର ସଂଖ୍ୟା ବଢିଥିବାର ପୂର୍ବାନୁମାନ କରାଯାଉଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବିଭିନ୍ନ ରେଂଜରେ ବନ କର୍ମଚାରୀଙ୍କୁ ଏବାବଦରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର ସୂଚନା ଦେଇଛନ୍ତି ।
