ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି
ମୁମ୍ବାଇ : ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ଜାମିନ ନେଇ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ତାଙ୍କର ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬ କୁ ଶୁଣାଣି ତାରିଖ ଦେଇଥିଲେ।
ଏନସିବି ଆର୍ଯ୍ୟନ ଖାନ ଏବଂ ହାଇକୋର୍ଟରେ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରିବ। ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ୫୭ ନମ୍ବରରେ ଥିବାବେଳେ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ୬୪ ନମ୍ବରରେ ତାଲିକାଭୁକ୍ତ ହୋଇଛି। ଏହା ଦେଖିବାକୁ ପଡ଼ିବ ଯେ ଆର୍ଯ୍ୟନ୍ ଆଜି ଜେଲରୁ ବାହାରିପାରିବେ କି ନାହିଁ। ଯଦି ଆଜି ତାଙ୍କୁ ଜାମିନ ମିଳିବ ନାହିଁ, ତେବେ ଅସୁବିଧା ବଢିପାରେ। କାରଣ ଅକ୍ଟୋବର ୨୯ ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। ଏହା ପରେ ଶନିବାର ଏବଂ ରବିବାର ଦିନ ଛୁଟିଦିନ । ତା’ପରେ ଦୀପାବଳି ଛୁଟି ହୋଇଯିବ। ଯଦିଓ ଶନିବାର ଦିନ କୋର୍ଟରେ କେସର ଫାଇଲିଂ ହୋଇଥାଏ, କିନ୍ତୁ ବିଚାରପତି ନିଷ୍ପତ୍ତି ନେଲେ ଯାଇ ଶୁଣାଣି ନିଷ୍ପତ୍ତି ନିଆଯିବ।
ମୁମ୍ବାଇ ହାଇକୋର୍ଟରେ ଆଜି ଶୁଣାଣି ଥିବା ବେଳେ ଏହା ପୂର୍ବରୁ କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ, ଏନସିବିର ଧମକ ଦେଇ ସାଙ୍ଗମାନଙ୍କୁ ଡ୍ରଗ୍ସ ଆଣିବାକୁ କହୁଥିଲେ ଆରୟନ। କେବଳ ଅନନ୍ୟା ନୁହନ୍ତି ଅନ୍ୟ ୩ଜଣ ବଲିଉଡ ଷ୍ଟାର କିଡଙ୍କ ସହ ଆରୟନ ଡ୍ରଗ୍ସ ବିଷୟରେ ଚାଟ କରିଥିବା ନେଇ ଏନସିବି ଆର୍ଯ୍ୟନଙ୍କ ହ୍ବାଟସଆପ ଚାଟରୁ ଜାଣିପାରିଛି। ଏନସିବି ହାତରେ ଲାଗିଥିବା ଚାଟରୁ ଜଣାପଡ଼ିଛି ଯେ, ଜୁଲାଇ ୨୦୧୯ରେ ଆର୍ଯ୍ୟନ ଏବଂ ଅନନ୍ୟା କରିଥିବା ଚାଟରେ ଡ୍ରଗ୍ସ ବିଷୟରେ କଥା ହେବା ସହ ଚରସ ବିଷୟରେ କଥା ହୋଇଥିଲେ। ଅନନ୍ୟା ଆର୍ଯ୍ୟନଙ୍କୁ ଚରସର ଚାହିଦା ଅଧିକ ଥିବା କହିବା ସହ ମୁଁ ଏହାକୁ ଗୁପ୍ତରେ ତୁମଠାରୁ ନେଇଯିବି ବୋଲି କହିଥିଲେ ଆର୍ଯ୍ୟନ। ତେବେ ଆଜିର ଶୁଣାଣି ସମୟରେ ଏନସିବି ଏହି ତଥ୍ୟକୁ ଦେଖାଇ ଆର୍ଯ୍ୟନଙ୍କ ଜାମିନ ଅଟକାଇବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନନ୍ୟାଙ୍କ ପରେ ଅନ୍ୟ ୩ଜଣ ବଲିଉଡ ଷ୍ଟାର କିଡଙ୍କୁ ମଧ୍ୟ ଏନସିବି ସମନ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ୩ଜଣ ବଲିଉଡ ଷ୍ଟାର କିଡ କିଏ, ତାହା ସାମ୍ନାକୁ ଆସି ନାହିଁ।
