ତୀର ମରା ଘଟଣା ; ଅଭିଯୁକ୍ତ ଭିଣୋଇ ଥାନାରେ ଅଟକ
ସୋର : ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ପାରିବାରିକ କଳହକୁ କେନ୍ଦ୍ର କରି ଗତ ବୁଧବାର ରାତିରେ ଭିଣୋଇର ତୀର ମାଡ଼ରେ ଶଳା ଗୁରୁତର ଆହତ ହୋଇ ସୋର ମେଡ଼ିକାଲରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ବେଳେ ଅଭିଯୁକ୍ତ ଭିଣୋଇକୁ ସ୍ଥାନୀୟ ଲୋକେ ଅଟକ ରଖି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ସୋର ପୁଲିସ କୁ ଜିମା ଦେଇଛନ୍ତି ।
ଭିଣୋଇଙ୍କ ତିର ମାଡ଼ରେ ଶଳାଙ୍କ ପିଠିରେ ପଶିଲା ତୀର । ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଫଟାଆମ୍ବ ଗ୍ରାମର ସାଲୁ ସିଂ ଏବଂ ସେହି ଗ୍ରାମର ତାଙ୍କ ଭିଣୋଇ ମୁଟୁ ସିଂଙ୍କ ସହିତ ଝଗଡ଼ା ହୋଇଥିଲା । ମୁଟୁ ସିଂ ଏଥିରେ ଉତ୍କ୍ଷିପ୍ତ ହୋଇ ସାଲୁ ସିଂକୁ ପଛ ପଟୁ ତୀର ବିନ୍ଧି ଦେଇଥିଲା । ଫଳରେ ପଛପଟ ପିଠିରେ ତୀରଟି ପଶି ଦେହରେ ରହିଥିବା ବେଳେ ସାଲୁ ଅଚେତ ହୋଇ ତଳେ ପଡ଼ିଯାଇଥିଲା । ଗ୍ରାମବାସୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ତୀରଟି ତାଙ୍କ ଦେହରେ ଲାଗି ରହିଥିବା ଦେଖିବାକୁ ମିଳିଛି । ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ବର୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୋଲିସ ଅଭିଯୁକ୍ତ ଭିଣୋଇ ମୁଟୁ ସିଂକୁ ଥାନାରେ ଅଟକ ରଖିଛି ।
