ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ସଶସ୍ତ୍ର ଡକାୟତି : ୪୯ ଲକ୍ଷ ଟଙ୍କା ସହ ୨କେଜିରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଲୁଟି ନେଲେ ୬ ଦୁର୍ବୃତ୍ତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ଚନ୍ଦନେଶ୍ୱର ବଜାର ଅନତି ଦୂରରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରୁ ସଶସ୍ତ୍ର ଡକାୟତି । ଦିନ ଦ୍ୱିପ୍ରହରରେ ଏହି ଲୁଟ୍ ଘଟଣା ଘଟିଛି । ପ୍ରାୟ ୬ଜଣ ଦୁର୍ବୃତ୍ତ ୩ଟି ନମ୍ବର ବିହୀନ ମୋଟରସାଇକେଲରେ ଆସି ବୁଧବାର ମଧ୍ୟାହ୍ନ ୧୨ଟା ୫୫ ମିନିଟ୍ ସମୟରେ ବ୍ୟାଙ୍କରେ ପଶିଥିଲେ । ଜଣେ ଦୁର୍ବୃତ୍ତ ଗେଟ୍ ନିକଟରେ ଜଗି ରହିଥିବା ବେଳେ ଅନ୍ୟ ୫ଜଣ ବ୍ୟାଙ୍କରେ ଥିବା ୧୨ ଜଣ ବ୍ୟାଙ୍କ ଗ୍ରାହକଙ୍କ ସହିତ ୫ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଓ ଭୟଭୀତ କରି ନଗଦ ୪୯ ଲକ୍ଷ ଟଙ୍କା ଓ ଆନୁମାନିକ ୨ କେଜି ଓଜନର ସ୍ୱର୍ଣ୍ଣ ଅଳଙ୍କାର ଲୁଟିନେଇ ଚମ୍ପଟ ମାରିଥିଲେ । ଏନେଇ ଏସ୍ପିଙ୍କ ପରିଚାଳନାରେ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯାଇଥିବା ବେଳେ ସନ୍ଧନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ ଜାରି ରହିଛି ।
ବ୍ୟାଙ୍କ ଗ୍ରାହକଙ୍କ ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ବୁତ୍ତ ମାନେ ମୁହଁରେ ମାସ୍କ ଓ ରୁମାଲ ବାନ୍ଧି ବ୍ୟାଙ୍କ ମୁଖ୍ୟ ଗେଟ୍ରେ ଜଣେ ଓ ଅନ୍ୟ ୫ଜଣ ଆକସ୍ମିକ ଭାବେ ବ୍ୟାଙ୍କ ଭିତରେ ପଶି ଜଣେ ଦୁର୍ବୁତ୍ତ ଗ୍ରାହକମାନଙ୍କୁ ବନ୍ଧୁକ ଦେଖାଇ ସମସ୍ତଙ୍କର ମୋବାଇଲ ଦେବା ସହିତ ତଳେ ବସିଯିବାକୁ ଧମକ ଦେଇଥିଲେ । ସେମାନେ ହିନ୍ଦୀ, ବଙ୍ଗଳା ଓ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ ବୋଲି ବ୍ୟାଙ୍କ ଗ୍ରାହକ ପ୍ରକାଶ କରିଛନ୍ତି । ଅନ୍ୟ ଚାରିଜଣ ଦୁର୍ବୁତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କର ଲକ୍କର୍ ଖୋଲିବାକୁ କେସିଆର ବିକ୍ରମ ପ୍ରଧାନକୁ ଧମକ ଦେଇଥିଲେ । କେସିଆର ଲକ୍କର୍ରେ ଚାବି ଖୋଲିବା ଡେରିହେବାରୁ ଜଣେ ଦୁର୍ବୁତ୍ତ ତାଙ୍କୁ ଗାଲରେ ଏକ ଚାପୁଡ଼ା ମାରିବାରୁ ଭୟରେ ସେ ଲକ୍କର୍ ଖୋଲିଦେବାରୁ ଦୁର୍ବୁତ୍ତ ମାନେ କେସିଆର ପାଖରେ ଥିବା ୮ ଲକ୍ଷ ସହ ଲକରରେ ଥିବା ୪୧ ଲକ୍ଷ ଟଙ୍କା ଓ ୨ କେଜିରୁ ଉର୍ଦ୍ଧ ସ୍ୱର୍ଣ୍ଣ ଅଳଙ୍କାର ଲୁଟିନେବା ସହିତ ୧୨ଜଣ ଗ୍ରାହକଙ୍କୁ ଧମକ ଦେଇ ବାହାରପଟୁ ତାଲା ମାରି ୧ଟା ୧୦ ମିନିଟ୍ ସୁଦ୍ଧା ୩ଟି ମୋଟରସାଇକେଲରେ ବସି ଚମ୍ପଟ ମାରିଥିଲେ । ଅଣ ନିଶ୍ୱାସୀ ହୋଇ ପଡୁଥିବା ଜଣେ ଗ୍ରାହକ ଲୁଚାଇ ରଖିଥିବା ମୋବାଇଲରୁ ଦୁଇ ମିଟରରେ ଥିବା ଚନ୍ଦନେଶ୍ୱର ଫାଣ୍ଡିକୁ ଜଣାଇଲା ପରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ôଚ ବ୍ୟାଙ୍କର ମୁଖ୍ୟ ଗେଟ୍ରେ ଦୁର୍ବୁତ୍ତ ତାଲା ପକାଇ ଦେଇଥିବାରୁ ତାକୁ କାଟି ଭିତରେ ଥିବା ୧୨ଜଣ ଗ୍ରାହକଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଭୋଗରାଇ ଥାନା, ତାଳସାରୀ ମେରାଇନ ଥାନା, କମର୍ଦ୍ଦା ଥାନା ସହ ଚନ୍ଦନେଶ୍ୱର ଫାଣ୍ଡି ଏବଂ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ, ଏସ୍ପି ସାଗରୀକା ନାଥ, ଡିଆଇଜି ହିମାଂଶୁ ଲାଲ ସହ ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ବ୍ୟାଙ୍କ ଓ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗରେ ଦୁର୍ବୁତ୍ତଙ୍କୁ ଧରିବା ନିମନ୍ତେ ତଲାସୀ ଜାରି ରଖିଛନ୍ତି ।
