କୋର୍ଟରେ ହାଜର ପରେ ଜେଲ ଫେରିଲେ ଅର୍ଚ୍ଚନା
ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ହାଜର ହେବା ପରେ ପୁଣି କଡ଼ା ସୁରକ୍ଷା ମଧ୍ୟରେ ଜେଲକୁ ଫେରି ଯାଇଛନ୍ତି । ଅର୍ଚ୍ଚନାଙ୍କ ଜାମିନ ପାଇଁ ଆବେଦନ କରାଯାଇଛି ଏବଂ ଶୁଣାଣି ହୋଇନି ବୋଲି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି । ଅର୍ଚ୍ଚନା କୋର୍ଟକୁ ଯିବା ସମୟରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇଥିଲେ । ମିଛ ଖବର ଦିଅନ୍ତିନୁ । କିଛି ପ୍ରମାଣ ନଥାଇ ଖବର ପ୍ରସାରଣ କରନ୍ତୁନି ବୋଲି ଅର୍ଚ୍ଚନା କହିଛନ୍ତି ।
ଗିରଫ ପରେ ପ୍ରଥମଥର ଜେଲ ବାହାରକୁ ଆସିଥିବା ଅର୍ଚ୍ଚନା ଆଜି ଗଣମାଧ୍ୟମକୁ କିଛି କହିବାକୁ ଚେଷ୍ଟା କରିଥିଲେ। ହେଲେ ସେ ବେଶି କିଛି କହିବା ପୂର୍ବରୁ ତାଙ୍କୁ ପୁଲିସ୍ ଭିଡ଼ିଭିଡ଼ି କୋର୍ଟ ମଧ୍ୟକୁ ନେଇ ଯାଇଛି। ସେ ପୁଲିସ୍ ଭ୍ୟାନରୁ ଓହ୍ଲାଇବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ପୂରା ଅପରାଧିକ ସିଣ୍ଡିକେଟ ସମ୍ପର୍କରେ କ’ଣ କହିବେ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଥିଲେ ଯେ “ହଁ, ନିଶ୍ଚିତ କହିବି। ଆପଣମାନେ କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ କରନ୍ତୁ ନାହିଁ। ଦୟା କରି ମିଛ ଖବର ପ୍ରସାରଣ କରନ୍ତୁ ନାହିଁ। ସମୟ ଆସିଲେ ସବୁ କିଛି କହିବି। ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ।” ଏହାପରେ ସେ ଆଉ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲେଡି ପୁଲିସ୍ କର୍ମଚାରୀମାନେ ତାଙ୍କୁ କୋର୍ଟ ଭିତରକୁ ଭିଡ଼ି ନେଇ ଯାଇଥିଲେ।
ପ୍ରଥମେ ଜଣେ ଯୁବତୀଙ୍କୁ ମୋହରା ବନାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଶୁଟ୍ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳା ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଜାଣତରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଅର୍ଚ୍ଚନା ଉଠାଇବା ସହ ତାଙ୍କୁ ବେଆଇନ କାମ କରିବାକୁ ଧମକ ଦେଇଥିବା ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୂର୍ବରୁ ଏହି ମାମଲାରେ ଅର୍ଚ୍ଚନାକୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ସେତେବେଳେ ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା।
