ଏଆଇଏଫ୍ଏଫ୍ ପାଇଁ ନିଯୁକ୍ତ କମିଟିକୁ ଭାଙ୍ଗିଲେ ସୁପ୍ରିମକୋର୍ଟ
ଦୈନନ୍ଦିନ ପରିଚାଳନା ଭାର ଗ୍ରହଣ ଲାଗି କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ‘ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେଡେରେସନ୍’ର (ଏଆଇଏଫ୍ଏଫ୍) କାର୍ଯ୍ୟକଳାପ ତଦାରଖ କରିବା ନିମନ୍ତେ ଚଳିତ ବର୍ଷ ପ୍ରାରମ୍ଭରେ ନିଯୁକ୍ତ କମିଟି ଅଫ୍ ଆଡ୍ମିନିଷ୍ଟ୍ରେସନକୁ ଭାଙ୍ଗିଲେ ସୁପ୍ରିମକୋର୍ଟ । ଏଥିସହ ଏଆଇଏଫ୍ଏଫର ଦୈନନ୍ଦିନ ପରିଚାଳନା ଭାର ଗ୍ରହଣ କରିବା ଲାଗି କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ସୁନନ୍ଦ ଧରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତୃତୀୟ ପକ୍ଷର ହସ୍ତକ୍ଷେପ ଯୋଗୁଁ ଗତ ଅଗଷ୍ଟ ୧୫ ତାରିଖରେ ଏଆଇଏଫ୍ଏଫ୍ ଉପରେ ନିଷେଧାଦେଶ ଜାରି କରିଥିଲା ଫିଫା। ଏଥିସହ ଫିଫା କହିଥିଲା କି, ଯୋଜନାମତେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ବୟସ୍କ ମହିଳାଙ୍କ ବିଶ୍ବକପ୍ ଏବେ ଆୟୋଜନ କରି ହେବନାହିଁ। ଇଲେକ୍ଟୋରାଲ୍ କଲେଜ୍ ପରିବର୍ତ୍ତନ କରିବାରେ ସୁବିଧା ହେବା ପାଇଁ ଅଗଷ୍ଟ ୨୮ ହେବାକୁ ଥିବା ଏଆଇଏଫ୍ଏଫ୍ ନିର୍ବାଚନ ତାରିଖ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।
ଏଆଇଏଫ୍ଏଫର ପୂର୍ବରୁ ସଦସ୍ୟତାକୁ ଭିତ୍ତି କରି ନୂଆ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାର ଅର୍ଥ ହେଉଛି ରାଜ୍ୟ ଆସୋସିଏସନ୍ର ପ୍ରତିନିଧିଙ୍କୁ ନେଇ ଭୋଟର୍ମାନଙ୍କ ତାଲିକା ପ୍ରସ୍ତୁତ ହେବ, ମନୋନୀତ ହୋଇଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ନେଇ ନୁହେଁ। ଏଆଇଏଫ୍ଏଫର ନୂତନ କାର୍ଯ୍ୟନିର୍ବାହୀ କମିଟି ୩୬ଜଣ ଇଲେକ୍ଟୋରେଟ୍ କଲେଜଙ୍କ ଦ୍ବାରା ନିର୍ବାଚିତ ୧୭ଜଣ କୋଷାଧ୍ୟକ୍ଷ ଏବଂ ଖ୍ୟାତନାମା ଖେଳାଳିମାନଙ୍କ ମଧ୍ୟରୁ ମନୋନୀତ ହୋଇଥିବା ୬ଜଣ ଖେଳାଳିଙ୍କ ସମେତ ୨୩ଜଣ ସଦସ୍ୟ ରହିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
