ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨ ସମାରୋହର ଶପଥ ପାଠ ଅନୁଷ୍ଠିତ
ବାଲେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଚଳିତବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ । ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହର ଆଦ୍ୟ ଦିବସରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେ ମୁତାବକ ଏକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ ସମାରୋହରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ, ସହକାରୀ ଜିଲାପାଳ ସ୍ୱାଗତିକା ଦାସ, ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର, ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କୱକବ, ଡେପୁଟୀ କଲେକ୍ଟର ସିତାଂଶୁ ଦାସଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶଥାଉକି, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଓସୱାନ ମାଧ୍ୟମରେ ଜିଲାପାଳଙ୍କୁ ଶପଥ ପାଠ କରାଇବା ପରେ ଜିଲା କାର୍ଯ୍ୟାଳୟରେ ଶପଥ ପାଠ ସମାରେ ଅନୁଷ୍ଠିତ ହୋଇଥିଲା ।
ଚନା ଯେ, ଜିଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଅଂଶସ୍ୱରୂପ ପଥପ୍ରାନ୍ତ ପାଲା, ସ୍କୁଲ ଓ କଲେଜ ସ୍ତରରେ ବକ୍ତୃତା ପ୍ରତିଯୋଗୀତା, ସଚେତନତା ରାଲି ଆଦି ଅନୁଷ୍ଠିତ କରିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ନଭେମ୍ବର ୧ ତାରିଖରେ ରେମୁଣା ଗୋଲେଇରୁ ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୂର୍ବାହ୍ନ ୬ଟା ସମୟରେ ଜିଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଏକ ରାଲିର ଆୟୋଜନ ହୋଇଥିବା ବେଳେ ନଭେମ୍ବର ୪ ତାରିଖ ପୂର୍ବାହ୍ନ ୭ଟାରେ ଜିଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନ୍ୟ ଏକ ରାଲିର ବ୍ୟବସ୍ଥା କରାଯାଇଛି । ଜିଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ଦିନ ଗହଳି ସ୍ଥାନ ମାନଙ୍କରେ ଦୁର୍ନୀତି ସଚେତନତାର ବାର୍ତ୍ତା ପ୍ରଚାର ନିମନ୍ତେ ପାଲାର ବ୍ୟବସ୍ଥା କରାଯାଇଛି । ବକ୍ତୃତା ଆଦି ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ନଭେମ୍ବର ୫ ତାରିଖରେ ଜିଲାପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ସଭାରେ ପୁରସ୍କୃତ କରାଯିବ ।
