ଟିମ ଇଣ୍ଡିଆକୁ ଆଉ ଏକ ଝଟକା : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦୌଡ଼ରୁ ଆଉଟ!
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୨ରେ ହାରିଥିବା ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିବାର ସମ୍ଭାବନା ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ଥିଲେ ମଧ୍ୟ ଏହାକୁ ବିରାଟ ବାହିନୀ ହାତ ଛଡ଼ା କରିଛି । ପ୍ରଥମ ଟେଷ୍ଟକୁ ଭାରତ ବେଶ ଚମତ୍କାର ଢଙ୍ଗରେ ଜିତିଥିଲା । ହେଲେ ବାକି ଦୁଇଟି ଯାକ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ତା’ର ଦବଦବା ଦେଖାଇଥିଲା । ଏହି ସିରିଜ୍ ହାରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଂଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି । ଏପରି କି ଟିମ ଇଣ୍ଡିଆ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ବି ପଛରେ ରହିଛି । ଭାରତ ୫ମ ସ୍ଥାନରେ ଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଥିବା କୁହାଯାଉଛି । ଏବେ ଟିମ୍ ଇଣ୍ଡିଆ ଯଦି କୌଣସି ଗୋଟିଏ ଟେଷ୍ଟ ମ୍ୟାଚ୍ ହାରିବ କିମ୍ବା ଡ୍ର କରିବ, ତା’ହେଲେ ଫାଇନାରେ ଆଉ ପ୍ରବେଶ କରିପାରିବ ନାହିଁ ।
ଆଇସିସି ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ନୂଆ ନିୟମ ଲାଗୁ କରିଛି । ପୂର୍ବରୁ ମ୍ୟାଚ୍ ଜିତିବା ପରେ ଟିମଗୁଡ଼ିକର ରାଙ୍କିଙ୍ଗ ହେଉଥିଲା । ହେଲେ ଏବେ ଜିତିବା ପ୍ରତିଶତକୁ ନେଇ ରାଙ୍କିଙ୍ଗ କରାଯାଉଛି । ତେଣୁ କେଉଁ ଦଳ କେତେ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଛି, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି କୌଣସି ଟିମ୍ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳି ୫ଟିରେ ଜିତିଛି, ତା’ହେଲେ ଟିମର ବିଜୟ ପ୍ରତିଶତ ୫୦% । କିନ୍ତୁ କୌଣସି ଟିମ ୫ ଟେଷ୍ଟରୁ ୪ଟିରେ ଜିତୁଛି, ତା’ହେଲେ ତା’ର ବିଜୟ ପ୍ରତିଶତ ୮୦% ରହିବ ଓ ସେ ରାଙ୍ଗିଙ୍ଗର ଶୀର୍ଷରେ ପହଂଚିବ । ଭାରତ ଏଯାଏ ୯ଟି ଟେଷ୍ଟ ମ୍ୟାଚ ଖେଳି ମାତ୍ର ୪ଟିରେ ଜିତିଛି । ଫଳରେ ୪୯.୦୭ ବିଜୟ ପ୍ରତିଶତ ସହ ଟିମ୍ ଇଣ୍ଡିଆ ପଏଂଟ ଟେବୁଲର ୫ମ ସ୍ଥାନରେ ରହିଛି । ଶ୍ରୀଲଙ୍କା ୨ଟି ଟେଷ୍ଟରୁ ୨ଟି ଯାକ ଜିତି ୧୦୦% ସହ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ୮୩.୩୩% ସହ ଦ୍ୱିତୀୟ ଓ ୭୫% ସହ ପାକିସ୍ତାନ ତୃତୀୟରେ ରହିଛି ।
ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୬୬.୬୬% ରହିଛି । ଭାରତ ତଳକୁ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ୯ମ ସ୍ଥାନରେ ଇଂଲଣ୍ଡ ରହିଛି । ଇଂଲଣ୍ଡର ବିଜୟ ପ୍ରତିଶତ ମାତ୍ର ୧୦.୪୧% । ଟିମ ଇଣ୍ଡିଆ ଏବେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବ । ଏପରି ସ୍ଥିତିରେ ଯଦି ଏହି ଟେଷ୍ଟ ମ୍ୟାଚ୍ ଗୁଡ଼ିକ ମଧ୍ୟରୁ କୌଣସିଟି ଡ୍ର ହେବ କିମ୍ବା ଟିମ୍ ଇଣ୍ଡିଆ ହାରିଯିବ, ତା’ହେଲେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିବ । ସବୁ ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ହାରିବା ପରେ ଭାରତର ଭାଗ୍ୟ ନିର୍ଭର କରିବ ।
