ବର୍ଷା ଧୋଇନେଲା ବିଶ୍ୱକପର ଆଉ ଏକ ମ୍ୟାଚ, ଫାଇଦାରେ ରହିଲା ଏହି ଦଳ
ନୂଆଦିଲ୍ଲୀ : ଲଗାତାର ବର୍ଷା କାରଣରୁ ଚଳିତ ବିଶ୍ୱକପ ଗୁରୁତର ଭାବେ ପ୍ରଭାବିତ ହେଉଛି। ବର୍ଷା କାରଣରୁ ପୂର୍ବରୁ ଦୁଇ ଦୁଇଟି ଓ୍ୱାର୍ମଅପ ମ୍ୟାଚ ବାତିଲ ହୋଇ ସାରିଛି। ବୁଧବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚ୍ ସମୟ ସମୟରେ ଆରମ୍ଭ ହୋଇପାରିଲା ନାହିଁ। ଭାରତୀୟ ସମୟ ଅନୁଯାୟୀ ଦିନ ସାଢେ ଗୋଟାଏରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା। ମାତ୍ର ଲଗାଣ ବର୍ଷା କାରଣରୁ ସୁପର ୧୨ ରାଉଣ୍ଡର ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ ଧୋଇ ହୋଇଯାଇଛି। ଏପରିକି ପିଚରେ ଗୋଟିଏ ବି ବଲ ପଡ଼ି ପାରିନଥିଲା। ଫଳରେ ଏହି ମ୍ୟାଚକୁ ବାତିଲ ଘୋଷଣା କରାଯାଇଥିଲା।
ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ମ୍ୟାଚ ବାତିଲ ହେବା ପରେ ନ୍ୟୁଜିଲାଣ୍ଡ ଟିମ ଫାଇଦାରେ ରହିଛି। ଉଭୟ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଏହା ସହିତ ତାଲିକା ଶୀର୍ଷକୁ ଉଠିଛି ନ୍ୟୁଜିଲାଣ୍ଡ। ଅନ୍ୟପକ୍ଷରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଦ୍ୱାରା ପରାସ୍ତ ହୋଇଥିବାବେଳେ ଏହି ମ୍ୟାଚ୍ ଅସମ୍ପୂର୍ଣ୍ଣ ଘୋଷିତ ହେବା ପରେ ଉଭୟ ଦଳ ଗୋଟିଏ ପଏଣ୍ଟ ପାଇଥିଲେ, ଏହା ସତ୍ତ୍ୱେ ଆଫଗାନିସ୍ତାନ ଦଳ ଗ୍ରୁପ୍ ୧ର ତଳେ ରହିଛି।
ବୁଧବାର ଡକଓ୍ୱର୍ଥ ଲୁଇସି ନିୟମ ବଳରେ ଇଂଲଣ୍ଡକୁ ୫ ରନରେ ପରାସ୍ତ କରିଥିଲା ଆୟର୍ଲାଣ୍ଡ। ଟି୨୦ ସୁପର ୧୨ ରାଉଣ୍ଡରେ ଆୟରଲାଣ୍ଡ ପାଇଁ ବର୍ଷା ଆଶିର୍ବାଦ ସାବ୍ୟସ୍ତ ହୋଇଥିଲା। ଏହା ପୂର୍ବରୁ ଦୁଇ ଦୁଇ ଥର ଚାମ୍ପିଅନ ଓ୍ୱେଷ୍ଟଇଣ୍ଡିଜକୁ ବିଶ୍ୱକପରୁ ବାହାର ରାସ୍ତା ଦେଖାଇ ଦେଇଥିଲା ଆୟରଲ୍ୟାଣ୍ଡ। ଏହା ସହିତ ଆୟରଲ୍ୟାଣ୍ଡ ସୁପର ୧୨ ରାଉଣ୍ଡରେ ନିଜର ସ୍ଥାନ ପକ୍କା କରିନେଇଥିଲା। ତେବେ ଇଂଲଣ୍ଡ ବିପକ୍ଷରେ ଆୟରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୫୭ ରନ କରିଥିଲା। ଜବାବରେ ଇଂଲଣ୍ଡ ୧୪.୩ ଓଭରରେ ୫ ଓ୍ୱିକେଟ ହରାଇ ୧୦୫ ରନ କରିଥିଲା। ସେହି ସମୟରେ ବର୍ଷା ହେବାରୁ ଖେଳକୁ ବନ୍ଦ କରି ଦିଆଯାଇଥିଲା। ତେବେ ଏହି ସମୟରେ ଡକଓ୍ୱର୍ଥ ଲୁଇସ ନିୟମ ଅନୁଯାୟୀ ଇଂଲଣ୍ଡକୁ ୫ ରନରେ ପରାସ୍ତ କରିଦେଇଥିଲା ଆୟରଲ୍ୟାଣ୍ଡ।
ଆୟରଲ୍ୟାଣ୍ଡର ଏହା ହେଉଛି ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ବିଜୟ। ଏହା ପୂର୍ବରୁ ୨୦୧୧ ମସିହାରେ ଦିନିକିଆ ବିଶ୍ୱକପରେ ଇଂଲଣ୍ଡକୁ ହରାଇଥିଲା। ତେବେ ଇଂଲଣ୍ଡ ବିପକ୍ଷରେ ଆୟରଲ୍ୟାଣ୍ଡର ତୃତୀୟ ବିଜୟ। ଦିନିକିଆରେ ଦୁଇ ଥର ହରାଇଥିବା ବେଳେ ଟି୨୦ରେ ଇଂଲଣ୍ଡ ବିପକ୍ଷରେ ଏହା ତୃତୀୟ ବିଜୟ।
