ସ୍ପେନକୁ ଆଉ ଏକ ଝଟ୍କା ; ଦଳରୁ ବିଦା ହେଲେ ପ୍ରଶିକ୍ଷକ ଏନରିକ୍
ଦୋହା : ସ୍ପେନ୍ ଫୁଟବଲ୍ ଦଳକୁ ଆଉ ଏକ ଝଟ୍କା । ପ୍ରିକ୍ବାର୍ଟର ଫାଇନାଲ୍ରେ ମରକ୍କୋଠୁ ପେନାଲ୍ଟି ସୁଟ୍ଆଉଟ୍ରେ ପରାଜିତ ହୋଇଥିବା ସ୍ପେନ୍ ଦଳର ପ୍ରଶିକ୍ଷକ ଲୁଇସ୍ ଏନରିକ୍ଙ୍କୁ ଦେଶର ଫୁଟବଲ୍ ସଂଘ ବିତାଡ଼ିତ କରିଛି। ଯଦିଓ ତାଙ୍କର ଚୁକ୍ତି ଅବଧି ଚଳିତ ମାସ ଶେଷ ପର୍ଯ୍ୟନ୍ତ ରହିଥିଲା, ତଥାପି ବିଶ୍ବକପ୍ ପରାଜୟ ପାଇଁ ସ୍ପେନ୍ ଫୁଟବଲ୍ ସଂଘ ଏଭଳି ନିଷ୍ପତ୍ତି ନେଇଛି। ତାଙ୍କ ବଦଳରେ ସ୍ପେନ୍ର ୨୧ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ଲୁଇସ୍ ଡି ଲା ଫୁଏଣ୍ଟେଙ୍କୁ ବରିଷ୍ଠ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।
ଫୁଏଣ୍ଟେ ସ୍ପେନ୍ର ୧୯ ବର୍ଷର କମ୍ ଦଳକୁ ୨୦୧୫ର ୟୁରୋପିଆନ୍ ଚାମ୍ପିଅନ୍ସିପ୍ ଓ ୨୦୧୯ରେ ୨୧ ବର୍ଷରୁ କମ୍ ଦଳକୁ ସମାନ ପ୍ରତିଯୋଗିତାରେ ବିଜେତା କରାଇଥିଲେ। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ପେନ୍ ରୌପ୍ୟ ପଦକ ପାଇଥିଲା ବେଳେ ସେ କାମଚଳା ପ୍ରଶିକ୍ଷକ ରହିଥିଲେ। ତେଣୁ ଏହିସବୁ ଉବଲବ୍ଧି ପାଇଁ ତାଙ୍କୁ ପଦୋନ୍ନତି ମିଳିଥିବା କୁହାଯାଉଛି।
