ୟୁକ୍ରେନରୁ ଫେରିଲେ ଆଉ୧୩ ଶହ ଭାରତୀୟ
ଏବେ ସୁଦ୍ଧା ସ୍ୱତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୭ ହଜାର ୪ଶହରୁ ଅଧିକ ଭାରତୀୟ
ନୂଆଦିଲ୍ଲୀ : ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୧୩୧୪ ଜଣ ଭାରତୀୟ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ୱତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ୧୭ ହଜାର ୪ଶହରୁ ଅଧିକ ଭାରତୀୟମାନଙ୍କୁ ଫେରାଇ ଅଣାସରିଛି । ୭୩ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ଏବେସୁଦ୍ଧା ଫେରିଥିବା ମୋଟ ଭାରତୀୟମାନଙ୍କ ସଂଖ୍ୟା ୧୫ ହଜାର ୨୦୬ରେ ପହଂଚିଛି । ଭାରତୀୟ ବାୟୁ ସେନାର ଗୋଟିଏ ସି -୧୭ ବିମାନ ଜରିଆରେ ବିଦେଶରୁ ୨୦୧ ଜଣ ଭାରତୀୟ ଆଜି ସନ୍ଧ୍ୟାରେ ପହଂଚିବେ ବୋଲି ଆଶା କରାଯାଉଛି । ଏଥିପୂର୍ବରୁ, ଅପରେସନ ଗଙ୍ଗା ଅଧୀନରେ ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ।
ଆଜି ପହଂଚିଥିବା ସ୍ୱତନ୍ତ୍ର ବିମାନ ମଧ୍ୟରୁ ୪ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି । ଆଉ ଗୋଟିଏ ବିମାନ ଆଜି ସନ୍ଧ୍ୟାରେ ପହଂଚିବ ବୋଲି ଆଶା କରାଯାଉଛି । ବୁଦାପେଷ୍ଟରୁ ୫ଟି, ବୁକାରେଷ୍ଟ ଏବଂ ସୁଚେଭାରୁ ଗୋଟିଏ ଲେଖାଏଁ ବିମାନ ଭାରତରେ ପହଂଚିଛି । ଆସନ୍ତାକାଲି, ଦୁଇଟି ସ୍ୱତନ୍ତ୍ର ବେସାମରିକ ବିମାନ ସୁଚେଭାରୁ ଆସିବ ବୋଲି ଆଶା କରାଯାଉଛି, ଏଥିରେ ୪୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଅଣାଯିବ ।
