୧୮ରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୧୨ ଚିତା
ନୂଆଦିଲ୍ଲୀ : ପୁଣି ଭାରତ ଆସିବେ ଚିତା । ଆସନ୍ତା ଫେବୃୟାରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ ଭାରତ ଅଣାଯିବ । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଗୁରୁବାର ଏହି ସୂଚନା ଦେଇଛନ୍ତି।
ଭାରତରେ ‘ଚିତା ପୁନଃ ଥଇଥାନ କାର୍ଯ୍ୟକ୍ରମ’ ଅଧୀନରେ ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୨ତମ ଜନ୍ମଦିନ ଅର୍ଥାତ ୧୭ ସେପ୍ଟେମ୍ବର ୨୦୨୨ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ସେଥିମଧ୍ୟରୁ ପାଞ୍ଚ ମାଈ ଓ ତିନିଟି ଅଣ୍ଡିରା ଚିତା ଥିଲେ। କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ୮ ଚିତାବାଘ ପ୍ରତି ତିନି-ଚାରି ଦିନରେ ଗୋଟିଏ ଶିକାର କରୁଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । ଗୋଟିଏ ଚିତା ଅସୁସ୍ଥ ହୋଇପଡିଥିଲା । ତେବେ ଚିକିତ୍ସା ପରେ ସେ ସୁସ୍ଥ ଥିବା ସେ କହିଛନ୍ତି।
ସୂଚନା ଯେ, ଆଫ୍ରିକାରୁ ଚିତା ଆମଦାନୀ ଏବଂ କୁନୋରେ ସେମାନଙ୍କ ବଂଶବୃଦ୍ଧି ପାଇଁ ଜାନୁଆରୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏବେ ସମଗ୍ର ବିଶ୍ବରେ ୭,୦୦୦ ଚିତା ଅଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମିବ୍ୟା ଏବଂ ବୋସ୍ୱାନାରେ ଦେଖିବାକୁ ମିଳେ । ନାମିବ୍ୟାରେ ଚିତାମାନଙ୍କର ସଂଖ୍ୟା ସର୍ବାଧିକ । ଚିତା ହେଉଛି ଏକମାତ୍ର ମାଂସାହାରୀ ପ୍ରାଣୀ ଯାହା ଭାରତରୁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଉଛି ଅବାଧ ଶିକାର ଏବଂ ବାସସ୍ଥଳୀର ଅଭାବ । ଭାରତର ଶେଷ ଚିତା ୧୯୪୮ ମସିହାରେ ଛତିଶଗଡର କୋରିଆ ଜିଲ୍ଲାର ସାଲ ଜଙ୍ଗଲରେ ମୃତ୍ୟୁ ବରଣ କରିଥିଲା।
