ଆନ୍ଧ୍ରପ୍ରଦେଶରେ ବର୍ଷା ତାଣ୍ଡବ : ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଅମରାବତୀ : ଆନ୍ଧ୍ରପ୍ରଦେଶର ବର୍ଷା ତାଣ୍ଡବ । ତୁହାକୁ ତୁହା ବର୍ଷା ଯୋଗୁଁ ଆନ୍ଧ୍ରର ବିଭିନ୍ନ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ରାଜ୍ୟରେ କଡପ୍ପା ଜିଲ୍ଲାରେ ହଠାତ୍ ବନ୍ୟା ଆସିବାରୁ ବ୍ୟାପକ ଜନଜୀବନ କ୍ଷୟକ୍ଷତି ଘଟିଛି । ବିଶେଷକରି କଡପ୍ପା, ଚିତ୍ତୁର ଓ ଅନନ୍ତପୁର ଏବଂ କନ୍ନୁର ଜିଲ୍ଲାରେ ଜଳପ୍ରଳୟ ଦେଖାଦେଇଛି । ଏହିସବୁ ସ୍ଥାନରେ ଏବେସୁଦ୍ଧା ବହୁସଂଖ୍ୟକ ଲୋକ ନିଖୋଜ ହୋଇଯାଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଏବଂ ରାଜ୍ୟରେ ସୃଷ୍ଟି ବନ୍ୟାସ୍ଥିତି ସମ୍ପର୍କରେ ଯାଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ପିଏମଙ୍କୁ ନେଲୋର, ଅନନ୍ତପୁର, ୱାଇଏସ୍ଆର୍ କଡପ୍ପା, ଏବଂ ଚିତ୍ତୋର ଜିଲ୍ଲାରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନେଭି ହେଲିକପ୍ଟର ଗୁଡିକୁ ମୁତୟନ କରାଯାଇଥିବା ଜଗନ କହିଛନ୍ତି । ସେହିପରି ଆବଶ୍ୟକୀୟ ସମସ୍ତ ସହାୟତା କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଶନିବାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକର ଅନୁଧ୍ୟାନ କରିଛନ୍ତି । ଅନନ୍ତପୁର ଏବଂ କଡପ୍ପା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାରେ ଦୁଇଟି ଲେଖାଏଁ ହେଲିକପ୍ଟର ନିୟୋଜିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ ବର୍ଷା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
