ଏଣିକି ନିର୍ଦ୍ଦେଶ ଅବମାନନା ପାଇଁ ଦଣ୍ଡ ଦେଇପାରିବେ ଲୋକାୟୁକ୍ତ
ଭୁବନେଶ୍ୱର : ଏଣିକି ଯଦି କୌଣସି ସରକାରୀ କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବେ, ତାଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ଆଇନ-୧୯୭୧ର ପ୍ରାବଧାନ ଆଧାରରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଭଳି ଲୋକାୟୁକ୍ତ ଦଣ୍ଡବିଧାନ କରିପାରିବେ । ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ର ସଂଶୋଧନକୁ ରାଜ୍ୟ ବିଧାନସଭା ଅନୁମୋଦନ କରିବା ପରେ ଲୋକାୟୁକ୍ତଙ୍କୁ ଏହି ନୂଆ କ୍ଷମତା ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି ।
ତେବେ ‘ଲୋକଙ୍କଠୁ ଯେକୌଣସି ପ୍ରକାରର ଚାନ୍ଦା’ ଗ୍ରହଣ କଲେ ତା’ର ଖୋଳତାଡ଼ କରିବାର କ୍ଷମତା ପୂର୍ବରୁ ଲୋକାୟୁକ୍ତଙ୍କ ପାଖରେ ଥିବାବେଳେ ଆଜି ବିଧାନସଭାରେ ପାରିତ ସଂଶୋଧିତ ବିଲରେ ଏହି ପ୍ରାବଧାନକୁ ହଟାଇ ଦିଆଯାଇଛି । କେନ୍ଦ୍ରୀୟ ଲୋକପାଳ ଓ ଲୋକାୟୁକ୍ତ ଆଇନ-୨୦୧୩ରେ ଏହି ପ୍ରାବଧାନ ନଥିବା ଦର୍ଶାଇ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୧(ଏଚ)ର ପ୍ରାବଧାନକୁ ଉଚ୍ଛେଦ କରିଛନ୍ତି । ଯାହାଫଳରେ ଲୋକଙ୍କଠୁ ଚାନ୍ଦା ଗ୍ରହଣ କରୁଥିବା ସଂସ୍ଥା ଅବା ସଂଗଠନ ସମ୍ପର୍କରେ ତଦନ୍ତ କରିବା ଏଣିକି ଲୋକାୟୁକ୍ତଙ୍କ କ୍ଷମତା ପରିସରଭୁକ୍ତ ରହିବ ନାହିଁ ।
ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୨ ପାରିତ ହୋଇଛି । ଏଥିରେ ଥିବା ସଂଶୋଧିତ ପ୍ରାବଧାନ ଅନୁସାରେ, ପୂର୍ବରୁ ବିଭାଗର ‘ଉପଯୁକ୍ତ କର୍ତ୍ତୃପକ୍ଷ’ କହିଲେ ‘ଦାୟିତ୍ୱରେ ଥିବା ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ’ଙ୍କୁ ବୁଝାଉଥିଲା । କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଲୋକାୟୁକ୍ତ ସମ୍ପୃକ୍ତ ବିଭାଗର ‘ଉପଯୁକ୍ତ କର୍ତ୍ତୃପକ୍ଷ’ଙ୍କୁ ସୁପାରିସ୍ କରୁଥିଲେ । ମାତ୍ର ଏଥିଯୋଗୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ବିଳମ୍ବ ହେବାରୁ ତଥା ଲୋକାୟୁକ୍ତଙ୍କ ସୁପାରିସ୍ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଓ ପ୍ରଶାସନିକ ସୁବିଧା ନିମନ୍ତେ ‘ଉପଯୁକ୍ତ କର୍ତ୍ତୃପକ୍ଷ’ରେ ପରିବର୍ତ୍ତନ କରାଯାଇଛି । ‘ବିଭାଗୀୟ ମନ୍ତ୍ରୀ’ଙ୍କ ବଦଳରେ ଏବେ ସମ୍ପୃକ୍ତ ବିଭାଗର ସଚିବ ହିଁ ‘ଉପଯୁକ୍ତ କର୍ତ୍ତୃପକ୍ଷ’ ହେବେ ।ସେହିପରି ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୧୪ର ୧(ଏଚ) ଅନୁସାରେ ଯେକୌଣସି ଲୋକ, ସଂଗଠନ, ସଂସ୍ଥା ଯଦି ଲୋକ ଅବା ବିଦେଶରୁ ଚାନ୍ଦା ନେଉଥିବେ ତା’ହେଲେ ସେ ଲୋକାୟୁକ୍ତଙ୍କ ତଦନ୍ତ ପରିସରଭୁକ୍ତ ହେବେ । ମାତ୍ର ଏହି ଚାନ୍ଦା ଆଦିର ଖୋଳତାଡ଼ ରାଜ୍ୟ ସରକାରଙ୍କ ଏଜେନ୍ସି କରିବ ତଥା କେନ୍ଦ୍ରୀୟ ଲୋକପାଳ ଆଇନରେ ଏଭଳି ପ୍ରାବଧାନ ନଥିବାରୁ ରାଜ୍ୟ ସରକାର ସେହି ପ୍ରାବଧାନକୁ ଉଚ୍ଛେଦ କରିଛନ୍ତି । ସଂଶୋଧିତ ପ୍ରାବଧାନ ଅନୁସାରେ ଏଣିକି ଲୋକାୟୁକ୍ତ କୌଣସି ଚାନ୍ଦାର ଖୋଳତାଡ଼ କରିପାରିବେ ନାହିଁ ।
ସେହିପରି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କଲେ ସମ୍ପୃକ୍ତ ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡର ପ୍ରାବଧାନ କରିବା କ୍ଷମତା ଲୋକାୟୁକ୍ତଙ୍କର ନଥିଲା । ଲୋକାୟୁକ୍ତ ନିଜର ୨୦୨୦ ମସିହା ବାର୍ଷିକ ରିପୋର୍ଟରେ ଏହି ଦଣ୍ଡର ଉପଯୁକ୍ତ ପ୍ରବଧାନ କରାଇବା ନିମନ୍ତେ ସରକାରଙ୍କୁ ସୁପାରିଶ କରିଥିଲେ । ଯଦି କୌଣସି କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ଅବା ମନ୍ଦ ଆଚରଣ ରଖି ଲୋକାୟୁକ୍ତଙ୍କ ସୁପାରିଶକୁ ଅମାନ୍ୟ କରୁଛନ୍ତି ତା’ହେଲେ ତାଙ୍କ ବିରୁଦ୍ଧରେ ଦଣ୍ଡର ବ୍ୟବସ୍ଥା ଲୋକାୟୁକ୍ତ କରିପାରିବେ । ଏଥିପାଇଁ ଆଇନ ବିଭାଗର ସୁପାରିଶରେ ରାଜ୍ୟ ସରକାର ପ୍ରଚଳିତ ଆଇନରେ ସଂଶୋଧନ କରିଛନ୍ତି । କୋର୍ଟ ଅବମାନନା ଆଇନ-୧୯୭୧ର ପ୍ରାବଧାନ ଆଧାରରେ ଲୋକାୟୁକ୍ତ ଏଣକି ତାଙ୍କ ନିର୍ଦ୍ଦେଶ ଉଲ୍ଳଂଘନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିପାରିବେ ।
ଏହାସହିତ ପ୍ରଚଳିତ ଲୋକାୟୁକ୍ତ ଆଇନରେ ରାଜ୍ୟ ସରକାର ପ୍ରତିବର୍ଷ ଲୋକାୟୁକ୍ତ କାର୍ଯ୍ୟାଳୟଙ୍କ ନାଁରେ ପାଣ୍ଠି ଆବଂଟନ କରିଥାନ୍ତି । ଯାହାକିି ଲୋକାୟୁକ୍ତଙ୍କ ଦରମା , ଭତ୍ତା ଓ ଅନ୍ୟାନ୍ୟ ପ୍ରଶାସନିକ ବ୍ୟୟ ପାଇଁ ଉପଯୋଗ ହୋଇଥାଏ । କିନ୍ତୁ ଏହି ପାଣ୍ଠି ଆବଂଟନ ଉପରେ ସିଏଜି ତାଙ୍କ ଅଡିଟ୍ ସମୟରେ ଆପତ୍ତି ଉଠାଇବା ସହ ପ୍ରଚଳିତ ବ୍ୟବସ୍ଥାରେ ଲୋକାୟୁକ୍ତଙ୍କ ଅଫିସ ପାଇଁ ବଜେଟରେ ପାଣ୍ଠି ଆବଂଟନ ପରିବର୍ତ୍ତେ ଲୋକାୟୁକ୍ତ ଗ୍ରାଂଟ୍(ଅନୁଦାନ) ଭାବେ ବଜେଟରେ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ସଂଶୋଧିତ ଆଇନରେ ସାମିଲ କରାଯାଇଛି । ତେବେ ଏହି ବିଲ୍ ଉପରେ ଆଲୋଚନାବେଳେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ । ସରକାର ଆଣିଥିବା ବିଲରେ ‘ମୁଖ୍ୟଶାସନ’ ମାନେ ‘ମୁଖ୍ୟମନ୍ତ୍ରୀ’ ବୋଲି ଉଲେଖ ଅଛି ବୋଲି କହିଥିଲେ । କିନ୍ତୁ ଏହାସତ୍ତ୍ୱେ ସରକାର ଏହି ବିଲକୁ ଗୃହରେ ପାରିତ କରାଇ ନେବାରେ ସକ୍ଷମ ହୋଇଥିଲେ ।
