ପୁଣି ଜନନୀ ଯନ୍ତ୍ରଣା : ଗର୍ଭବତୀଙ୍କୁ ପ୍ଲାଷ୍ଟିକ ଚେୟାରରେ ଭାର କରି ୧ କିଲୋମିଟର ବୋହିଲେ ପରିବାର ଲୋକେ
କୋରାପୁଟ : ଏବେବି ରାଜ୍ୟର ବିଭିନ୍ନ ଗ୍ରାମରେ ଭଲ ରାସ୍ତାଟିଏ ନାହିଁ । ଫଳରେ ଲୋକେ ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇବାରେ ବହୁ ହଇରାଣ ହେଉଛନ୍ତି ଲୋକେ। ଏହିଭଳି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଗ୍ରାମ ପଞ୍ଚାୟତର ଆମ୍ବାପଡା ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ଯେ, ଆମ୍ବାପଡା ଗ୍ରାମର ସୁରେଶଙ୍କ ସ୍ତ୍ରୀ ମିନତୀ ହନ୍ତାଳ(୨୨) ଗର୍ଭବତୀ ଥିବାରୁ ଶୁକ୍ରବାର ଅପରାହ୍ନ ସମୟରେ ପ୍ରସବଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏନେଇ ଅପରାହ୍ନ ୩ଟା ସମୟରେ ପରିବାର ଓ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ ପାଇବା ପରେ ଆମ୍ବୁଲାନ୍ସ ଆସି ଗ୍ରାମ ନିକଟରେ ପହଞ୍ଚିଲା। କିନ୍ତୁ ଗ୍ରାମକୁ ଭକ ରାସ୍ତା ନଥିବା ଏବଂ ଏକ ନଦୀ ପ୍ରବାହିତ ହେଉ ଥିବାରୁ ଜାମଗୁଡା ଗ୍ରାମ ନିକଟରେ ଆମ୍ବୁଲାନ୍ସଟି ଅଟକି ରହିଥିଲା। ମାତ୍ର ଆମ୍ବାପଡା ଗ୍ରାମ ଠାରୁ ଆମ୍ବୁଲାନ୍ସ ରହିବା ସ୍ଥାନ ପ୍ରାୟ ଏକ କିଲୋମିଟର ଦୂରରେ ଥିଲା। ଅସହାୟ ଗର୍ଭବତୀ ମିନତୀଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀ ଆଗେଇ ଆସିଲେ। ଏକ ପ୍ଲାଷ୍ଟିକ ଚେୟାରରେ ମିନତୀ ହାନ୍ତାଳଙ୍କୁ ବସାଇ ଦଉଡି ସାହାଯ୍ୟରେ ଏକ କାଠ ଦ୍ୱାରା ଭାର ପ୍ରସ୍ତୁତ କଲେ। ପ୍ରବଳ ବର୍ଷା ହେଉଥିବାରୁ କାଠର ଭାରା ଉପରେ ଏକ ପଲିଥିନ ଟାଙ୍ଗିଲେ। ଗ୍ରାମ ଠାରୁ ପାଦ ଚଲା ରାସ୍ତାଟି ଅନାବନା ଘାସରେ ଭର୍ତ୍ତି ହୋଇ ଥିବାରୁ ତାହାକୁ କିଛି ଲୋକ ଦା’ ସାହାଯ୍ୟରେ ସଫା କରୁଥିଲେ। ଗର୍ଭବତୀଙ୍କୁ ଅନ୍ୟମାନେ ଭାରରେ ବୋହିିଥିଲେ। କିଛି ଦୂର ଗର୍ଭବତୀଙ୍କୁ ଭାରରେ ବୋହି ନେବା ପରେ ଏକ ନଦୀ ପଡିଲା। ଉକ୍ତ ନଦୀରେ ଗର୍ଭବତୀଙ୍କୁ ଆରପାରିକୁ ନେଇଥିଲେ। ନଦୀ ପାର ହେବା ପରେ ଗୋଟିଏ ସ୍ଥାନରେ ବଡ଼ ଘାଟି ପଡିଥିବା ବେଳେ ଉକ୍ତ ଘାଟିରେ ଗର୍ଭବତୀଙ୍କୁ ଭାରରେ ବୋହି ଚଢ଼ିବା କଷ୍ଟକର ହୋଇଥିଲା। ଗ୍ରାମବାସୀ ଧରିଥିବା ଏକ କୋଦାଳ ସାହାଯ୍ୟରେ ଖୋଳି ଖୋଳି ପାହାଚ ତିଆରି କରିଥିଲେ। ଜାମଗୁଡା ଗ୍ରାମରେ ପହଞ୍ଚିବା ବେଳକୁ ଆମ୍ବୁଲାନ୍ସ ସେଠାରେ ଜଗି ରହିଥିଲା। ଉକ୍ତ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀଙ୍କୁ ପହଞ୍ଚାଇ ଥିଲେ। ରାସ୍ତା ନ ଥିବାରୁ ଦୀର୍ଘ ଏକ କିଲୋମିଟର ଭାରରେ ଗର୍ଭବତୀଙ୍କୁ ବୋହି ଆଣିବା ଯେତିକି କଷ୍ଟକର ହୋଇଥିଲା ଗ୍ରାମରେ ମୋବାଇଲ ନେଟୱର୍କ ନ ଥିବାରୁ ଜୀବନ ଆହୁରି ଦୁର୍ବିସହ ହୋଇ ପଡିଛି ବୋଲି ଗ୍ରାମବାସୀ ବିଶେଷ କରି ଯୁବକ ମାନେ ଅଭିଯୋଗ କରିଛନ୍ତି।
