ବିରଳା ଟାୟାର୍ସ କର୍ମଚାରୀ ଓ ଶ୍ରମିକ ସଂଘର ଜରୁରୀ ବୈଠକ : କାରଖାନା ଖୋଲିବା ଉପରେ ଗୁରୁତ୍ୱାରୋପ
ବାଲେଶ୍ୱର : ବାଲେଶ୍ୱର ସହର ମଲ୍ଲିକାଶପୁର ସ୍ଥିତ ୰ ଅରୁଣ ଦେଙ୍କ ବାସଭବନ ପରିସରରେ ବିରଳା ଟାୟାର୍ସ ଏମ୍ପେ୍ଲାଇଜ୍ ଏଣ୍ଡ ୱାର୍କସ୍ ୟୁନିୟନର ଏକ ଜରୁରୀ ବୈଠକ ସଂଘର ସଭାପତି ତଥା ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଠାରେ ବିରଳା ଟାୟାର୍ସ ଖୋଲିବା ସମ୍ପର୍କରେ ଏକ ମିଳିତ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ କାରଖାନାକୁ କିଭଳି ଖୋଲାଯିବ ସେ ସମ୍ପର୍କରେ ଉକ୍ତ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା ।
ସଂଗଠନର ସଭାପତି ୰ ଅରୁଣ ଦେ ସବୁବେଳେ କାରଖାନା ଚାଲିବା ଏବଂ ଶ୍ରମିକ କର୍ମଚାରୀମାନଙ୍କର ସମସ୍ୟାକୁ ମଧ୍ୟ ସମାଧାନ କରିବା ଉପରେ ଜୋର ଦେଇଆସୁଥିଲେ । ତେଣୁ ପ୍ରଥମେ ବିରଳା ଟାୟାର୍ସ ଖୋଲିବା ପାଇଁ ସମସ୍ତ ଶ୍ରମିକସଂଗଠନ ସକାରାତ୍ମକ ଚିନ୍ତାଧାରା ପରିପ୍ରକାଶ କରିବା ଉଚିତ୍ ବୋଲି ସଭାପତି ଶ୍ରୀ ଦାସ ମତ ବ୍ୟକ୍ତ କରିଥିଲେ । ଏହାଛଡ଼ା ବୈଠକ ସବୁବର୍ଗର ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରଥମ ଅଧିବେଶନରେ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ବାଲେଶ୍ୱର ଜିଲା ଶାଖା ସଭାପତି ଅନାଦି ଚରଣ ବେହେରା ଓ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ଉପସ୍ଥିତ ରହି ପେନସନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରିଥିଲେ । ବୈଠକରେ ସଂଘର ଉପଦେଷ୍ଟା ରଞ୍ଜନ କୁମାର ବାଗ ଓ ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ସମେତ କାର୍ଯ୍ୟକାରୀ ସଭାପତି ଭୋଳାନାଥ ବେହେରା, ଉପସଭାପତି ପିତାମ୍ବର ମହାପାତ୍ର, ମାୟାଧର ରାଉତ, ସମ୍ପାଦକ ଶରତ କୁମାର ଦାସ, ସାଂଗଠନିକ ସମ୍ପାଦକ ଚିତ୍ତରଞ୍ଜନ ଦତ୍ତ, ପରମେଶ୍ୱର ମହାନ୍ତି, ଆଶିଷ ଦାସ, ବିଶ୍ୱ ବିଜୟୀ ବେହେରା, ଅଭିଜିତ ଦାସ, ବିରେନ୍ଦ୍ର ରାଉତ, ବିରେନ୍ଦ୍ର ଦାସଙ୍କ ସମେତ ପରିବର୍ଦ୍ଧିତ କାର୍ଯ୍ୟକାରି କମିଟିର ସଦସ୍ୟମାନେ ଯୋଗଦାନ କରିଥିଲେ ।
