ବାଲେଶ୍ୱର : ଆଇନଜୀବିଙ୍କ ପାଇଁ ଇ-ସର୍ଭିସ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
- ଜିଲା ବାର୍ଆସୋସିଏସନ୍ ପକ୍ଷରୁ ମୁଖ୍ୟ ବିଚାରପତିଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ସଂପ୍ରତି କରୋନା କାଳରେ ଅଦାଲତ ବନ୍ଦ ରହିଛି । ତେବେ ଅତ୍ୟାଧୁନିକ ପ୍ରଦେୁ୍ୟକ୍ତି ଜ୍ଞାନ କୌଶଳ ମାଧ୍ୟମରେ ଆଇନଜୀବି ଏବଂ ବିଚାରପତିମାନଙ୍କୁ ଇ-ସର୍ଭିସ୍ ମାଧ୍ୟମରେ କିଭଳି ପୁଣିଥରେ ବିଭିନ୍ନ ମାଲିମକଦ୍ଦମାର ବିଚାର ହୋଇପାରିବ ସେ ନେଇ ଆଜି ଜିଲ୍ଲା ଦୌରାଜଜ୍ ହୀରଣମୟ ବିଷୋଇଙ୍କ ପୌରହିତ୍ୟରେ ବିକଳ୍ପ ସମାଧାନ କେନ୍ଦ୍ର ପରିସରରେ ଏକ ଦିନିକିଆ ଇ-ସର୍ଭିସ୍ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ଏବଂ ଜଷ୍ଟିଶ ଦେବବ୍ରତ ଦାଶ ଯୋଗଦେଇ ଇ ସର୍ଭିସ୍ ସମ୍ପର୍କରେ ଆଇନଜୀବି ଓ ବିଚାପରତି ମାନଙ୍କୁ ଅବଗତ କରିଥିଲେ । ପୂର୍ବାହ୍ନ ୧୦ଟାରୁ ୧ଟା ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ସଂପ୍ରତି ବାଲେଶ୍ୱର ଜିଲ୍ଲାରେ ଏକଲକ୍ଷ ୨୭ହଜାରରୁ ଅଧିକ ମାମଲା ବିଭିନ୍ନ ଅଦାଲତରେ ପଡି ରହିଛି । ସେହିପରି କେବଳ ଜିଲ୍ଲାରେ ୨ହଜାରରୁ ଅଧିକ ଆଇନଜୀବି ରହିଛନ୍ତି । ଏହି ପରିପ୍ରେକ୍ଷୀରେ ତାଲିମ୍ ଶିବିର ଉଦ୍ଘାଟନ ପରେ ପରେ ବାଲେଶ୍ୱର ଜିଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ୨ନମ୍ବର ବାର୍ରେ ଉଭୟ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ସଦର ମହକୁମାରେ ଶହଶ୍ରାଧିକ ଆଇନଜୀବି ରହିଥିବା ବେଳେ ସେମାନଙ୍କ ବସିବାପାଇଁ ବିଶେଷ ସ୍ଥାନ ନଥିବାରୁ ଏଠାରେ ଏକ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ଦାବି କରାଯାଇଛି । ଏହାସହିତ ମାମଲା ଗୁଡ଼ିକର ତ୍ୱରିତ ବିଚାର ପାଇଁ ଶୂନ୍ୟଥିବା ବିଚାପତି ପଦବୀ ଗୁଡିକୁ ଅବିଳମ୍ବେ ପୁରଣ କରିବାକୁ ଦାବି କରାଯାଇଥିଲା । ଏତଦ୍ଭିନ୍ନ ପ୍ରତିମାସ ଗୋଟିଏ ଦିନ ବାଲେଶ୍ୱରରେ ହାଇକୋର୍ଟର ସ୍ୱତନ୍ତ୍ର ବେଂଚ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ଏକ ସିବିଆଇ ସ୍ୱତନ୍ତ୍ର ଅଦାଲତ, ଆୟବହିର୍ଭୂତ ଠୂଳ ମାମଲାର ବିଚାରପାଇଁ ସ୍ୱତନ୍ତ୍ର ବିଚାରଳୟ ପ୍ରତିଷ୍ଠା, ଜମି ଅଧିଗ୍ରହଣ ମାମଲା ଗୁଡିକର ଶୁଣାଣି ପାଇଁ ପୂର୍ବରୁ ଥିବା ଅଦାଲତ କଟକୁ ଉଠିଯିବା ଘଟଣାକୁ ନେଇ ମଧ୍ୟ ଅସନ୍ତୋଷ କରିଥିଲେ ବାର୍ ଆସୋସିଏସନ୍ର କର୍ମକର୍ତା ମାନେ । ପୁଣିଥରେ ଏହି ଅଦାଲତ ବାଲେଶ୍ୱରରେ ସ୍ଥାପନ କରିବାକୁ ଦାବି କରାଯାଇଛି । ଏହାସହିତ ଏକ ଅତ୍ୟାଧୁନିକ ଇ-ଲାଇବ୍ରେରୀ ଓ ପାରମ୍ପରିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ବାଲେଶ୍ୱର ଏକ ଅଗ୍ରଣୀ ଜିଲ୍ଲା ହୋଇଥିବା ବେଳେ ସ୍ଥାନୀୟ ବିଚାରବିଭାଗକୁ ଏକ ଅଗ୍ରଣୀ ସଂଗଠନ ଭାବେ ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଏହି ଦାବି ଗୁଡିକ ଉପରେ ସହୃଦତା ସହ ସମୀକ୍ଷା କରି ନିଷ୍ପତି ନେବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍ର ସଭାପତି ମନୋଜ ନାୟକ, ବରିଷ୍ଠ ଆଇନଜୀବି ରଘୁନାଥ ମହାନ୍ତି, ରଘୁନାଥ ପ୍ରଧାନ, ଜଳେଶ୍ୱର ବାର୍ ଆସୋସିଏସନ୍ ସଭାପତି ଅନୀଲ ପରିଡା, ଜୟରାମ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଆସୋସିଏସନ୍ ସମ୍ପାଦକ ଶ୍ରୀ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ ।
