ଆମେରିକୀୟ ଖବରକାଗଜରେ ମୋଦି ସରକାରଙ୍କ ବିରୋଧରେ ବାହାରିଲା ବିଜ୍ଞାପନ, ନିର୍ମଳାଙ୍କୁ ଲେଖିଲା ୱାଣ୍ଟେଡ
ୱାସିଂଟନ : ଆମେରିକାର ଅଗ୍ରଣୀ ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ବିଜ୍ଞାପନ ଆଜିକାଲି ବିବାଦ ଘେରରେ ରହିଛି । ଏହି ବିଜ୍ଞାପନରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୧୦ ଜଣ ବରିଷ୍ଠ ସରକାରୀ କର୍ମଚାରୀଙ୍କୁ ବିଦେଶୀ ବିରୋଧୀ ନିବେଶକ ବୋଲି କହି ବର୍ଣ୍ଣନା କରଯାଇଛି । ଏହି ବିଜ୍ଞାପନ ଭାରତରେ ଏକ ବଡ ବିବାଦ ସୃଷ୍ଟି କରିଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ବିଜ୍ଞାପନ ଏପରି ଏକ ସମୟରେ ପ୍ରକାଶିତ ହୋଇଛି, ଯେତେବେଳେ ନିର୍ମଳା ସୀତାରମଣ ଆମେରିକାରେ ଜି-୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ବୈଠକରେ ଯୋଗଦେବେ ।
ଅକ୍ଟୋବର ୧୩ ରେ ପ୍ରକାଶିତ ଏହି ବିଜ୍ଞାପନରେ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଆଣ୍ଟ୍ରିକ୍ସ କର୍ପ ଅଧ୍ୟକ୍ଷ ରାକେଶ ଶଶିଭୂଷଣ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ସୁପ୍ରିମକୋର୍ଟର ବିଚାରପତି ହେମନ୍ତ ଗୁପ୍ତା, ଭି ରାମାସୁବ୍ରମଣ୍ୟମ୍, ସ୍ଵତନ୍ତ୍ର ପିସି (ଦୁର୍ନୀତି ନିବାରଣ) ଆଇନ ଜଜ୍ ଚନ୍ଦ୍ରଶେଖର, ସିବିଆଇ ଡିଏସପି ଆଶିଷ ପ୍ୟାରକ୍, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଓ ଅତିରିକ୍ତ ସଲିସିଟର ଜେନେରାଲ୍ ଏନ ଭେଙ୍କଟାରାମନଙ୍କୁ ଦର୍ଶାଯାଇଛି । ଏହି ବିଜ୍ଞାପନରେ ଇଡିର ସହକାରୀ ନିର୍ଦ୍ଦେଶକ ଆର ରାଜେଶ ଓ ଡେପୁଟି ଡାଇରେକ୍ଟର ଏ ସାଦିକ ମହମ୍ମଦଙ୍କୁ ମଧ୍ୟ ନାମିତ କରାଯାଇଛି ।
ବିଜ୍ଞାପନରେ ଦର୍ଶାଯାଇଛି ଯେ ସେମାନେ ସରକାରୀ ଅନୁଷ୍ଠାନଗୁଡିକର ଅପବ୍ୟବହାର କରି ନିବେଶକଙ୍କ ପାଇଁ ଭାରତକୁ ଅସୁରକ୍ଷିତ କରିଛନ୍ତି । ବିଜ୍ଞାପନର ତଳେ ଏକ କ୍ୟୁଆର କୋଡ୍ ମଧ୍ୟ ଅଛି, ଯେତେବେଳେ ସ୍କାନ୍ କରାଯାଏ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫ୍ରଣ୍ଟିଅର୍ସ ଅଫ୍ ଫ୍ରିଡମ୍ ର ୱେବସାଇଟ୍ ଖୋଲୁଥିବା ଦେଖିବାକୁ ମିଳୁଛି ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଦାବି କରିଛନ୍ତି ଯେ ଏହି ଅଭିଯାନ ଦେୱାସ ମଲ୍ଟିମିଡିଆର ପୂର୍ବତନ ସିଇଓ ରାମଚନ୍ଦ୍ରନ ବିଶ୍ୱନାଥନଙ୍କ ଦ୍ୱାରା ପରିଚାଳିତ ହେଉଛି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଆମେରିକାର ଗଣମାଧ୍ୟମକୁ ଅସ୍ତ୍ର କରିବା ଠକମାନଙ୍କ ପାଇଁ ଲଜ୍ଜାଜନକ । ଏହି ଆଶ୍ଚର୍ଯ୍ୟଜନକ ଘୃଣ୍ୟ ବିଜ୍ଞାପନ ଭାରତ ଓ ଏହାର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରକାଶିତ ହୋଇଛି । ଏହା ପଛରେ କିଏ ଅଛନ୍ତି ଜାଣନ୍ତି କି? ଏହି ଅଭିଯାନ ପଳାତକ ରାମଚନ୍ଦ୍ର ବିଶ୍ୱନାଥନଙ୍କ ଦ୍ୱାରା ପରିଚାଳିତ ହେଉଛି, ଯିଏ ଦେୱାସର ସିଇଓ ଥିଲେ ।
