ଦୁଃଖଦ ଘଟଣା : ମୃତ୍ୟୁ ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ
ଭୁବନେଶ୍ୱର : ଆଉ ନାହାନ୍ତି ଅମ୍ରିତ । ମୃତ୍ୟୁ ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଗଲେ । ଦୀର୍ଘ ୬ ମାସ କାଳ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଅମ୍ରିତ । ଅମ୍ରିତଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଭଉଣୀ ।
ଜୀବନ ଯୁଦ୍ଧରେ ହାରିଗଲେ ଗଜପତି ନଗର ନିକଟସ୍ଥ ବାସୁଦେବ ନଗର ଅଂଚଳର ଯୁବ ଇଂଜିନିୟର ଅମ୍ରିତ ପ୍ରଧାନ । କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିଲା। ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଭୁବନେଶ୍ବର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ଫୁସଫୁସ୍ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା ।
ସୂଚନା ଯେ, ଅମ୍ରିତଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମେନେଜର । ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବାହାର ଲୋକେ ମଧ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦାନ ଭାବେ ଦେଇଥିଲେ ।
