ବିଶ୍ୱରେ ଚିହ୍ନଟ ନୂଆ କୁଷ୍ଠରୋଗୀଙ୍କ ମଧ୍ୟରେ ଭାରତରେ ୬୦%, ଦେଶରେ ଓଡ଼ିଶା ଦ୍ୱିତୀୟ
ନୂଆଦିଲ୍ଲୀ : କୁଷ୍ଠରୋଗ ହେଉଛି ଏକ କ୍ରୋନିକ୍ ସଂକ୍ରାମକ ରୋଗ । ଏହା ମାଇକୋବ୍ୟାକ୍ଟେରିୟମ୍ ଲେପ୍ରି ନାମକ ଜୀବାଣୁ ଦ୍ୱାରା ବ୍ୟାପିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ ଏହି ରୋଗ ମୁଖ୍ୟତଃ ଚର୍ମ, ପେରିଫେରାଲ୍ ସ୍ନାୟୁ (ମେରୁଦଣ୍ଡ ନିକଟରେ ରହିଥିବା ସ୍ନାୟୁ), ଶ୍ବାସକ୍ରିୟାର ପୃଷ୍ଠଭାଗ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ଛୋଟ ବୟସରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତ ବୟସରେ କୁଷ୍ଠରୋଗ ଦେଖାଯାଇଥାଏ । ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କଲେ କୁଷ୍ଠରୋଗକୁ ରୋକା ଯାଇପାରେ । କୁଷ୍ଠରୋଗୀଙ୍କ ନାକ ଏବଂ ପାଟିରୁ ବାହାରୁଥିବା ଲାଳ ବୁନ୍ଦାର ବାରମ୍ବାର ଯୋଗାଯୋଗରେ ଆସିଲେ ଏହି ରୋଗ ସଂକ୍ରମିତ ହୁଏ ।
କୁଷ୍ଠରୋଗ ଏକ ପୁରାତନ ରୋଗ, ଯାହା ପ୍ରାଚୀନ ସଭ୍ୟତାର ସାହିତ୍ୟରେ ମଧ୍ୟ ବର୍ଣ୍ଣିତ । ଏହି ରୋଗ ଏକ ଅଛୁଆଁ ରୋଗ ଭାବରେ ସମାଜରେ ରହି ଆସିଥିଲା । ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ସେମାନଙ୍କ ସମ୍ପ୍ରଦାୟ ଏବଂ ପରିବାର ଦ୍ୱାରା ସାମାଜିକ ବାଚ୍ଛନ୍ଦ ହୋଇଥାନ୍ତି । ରୋଗୀମାନଙ୍କର ସ୍ୱାଧୀନତା ଛଡ଼ାଇ ସେମାନଙ୍କୁ ଦୁଃଖରେ କାଳାତିପାତ କରିବାକୁ ପଡୁଥିଲା । ୨୦୦୫ରେ ଭାରତ ସରକାର ଘୋଷଣା କରିଥିଲେ ଯେ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ କୁଷ୍ଠରୋଗକୁ ଦୂର କରି ଦିଆଯାଇଛି ଏବଂ ୨୦୦୭ ରେ ଓଡ଼ିଶା କୁଷ୍ଠ ରୋଗ ମୁକ୍ତ ହୋଇଛି ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ୨୦୨୦-୨୧ ବର୍ଷପାଇଁ ଜାତୀୟ କୁଷ୍ଠରୋଗ ବିଲୋପ କାର୍ଯ୍ୟକ୍ରମ ରିପୋର୍ଟ ଅନୁଯାୟୀ, ଓଡିଶାରେ ୬୧୪୮ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ଭିତରେ ୪୨୧ ଜଣ ଶିଶୁ ରହିଥିଲେ । ମିଳିଥିବା ତଥ୍ୟ ଅନୁସାରେ, ବିଶ୍ୱରେ ଚିହ୍ନଟ ହୋଇଥିବା ନୂଆ କୁଷ୍ଠରୋଗୀଙ୍କ ମଧ୍ୟରେ ୬୦% ଭାରତରେ ରହିଥିବା ଏବଂ ଓଡିଶାର ଅନେକ ଜିଲ୍ଲାରେ ଏହି ରୋଗ ଚିହ୍ନଟ ହୋଇଥିଲା।
ଏନଏଲଇପିର ତଥ୍ୟ ଅନୁଯାୟୀ ବିହାର, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରୁ ଭାରତର ୭୬% ନୂଆ କୁଷ୍ଠରୋଗୀ ରହିଥାନ୍ତି । ଡବ୍ଲୁଏଚଓ ଅନୁଯାୟୀ, ୨୦୧୯-୨୦ ମସିହାରେ ଦେଶରେ ୧,୧୪,୪୫୧ ନୂତନ କୁଷ୍ଠରୋଗ ଚିହ୍ନଟ ହୋଇଥିଲା ଯାହାକି ଦକ୍ଷିଣ ପୂର୍ବ ଏସିଆର ୮୦% ମାମଲା ରହିଥିଲା । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (ୟୁଟିଏସ) ୨୦୨୦-୨୧ ର ରିପୋର୍ଟକୁ ଆଧାର କରି ଏନଏଲଇଏପି କହିଛି ଯେ, କୁଷ୍ଠରୋଗର ମୋଟ ୬୫,୧୪୭ଟି ମାମଲା ଚିହ୍ନଟ ହୋଇଛି ଯାହା ବାର୍ଷିକ ଲକ୍ଷେ ଜନସଂଖ୍ୟାର ୪.୫୬ ପ୍ରତିଶତ। ୨୦୧୯-୨୦ର ସମାନ ତଥ୍ୟ ଅନୁଯାୟୀ ୧ ଏପ୍ରିଲ୍ ୨୦୨୧ ସୁଦ୍ଧା ମୋଟ ୫୭,୬୭୨ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି। ଏହସହିତ ମୋଟ ୩,୭୫୩ ଶିଶୁ ମାମଲା ରେକର୍ଡ କରାଯାଇଛି । ଯେଉଁଥିରେ ଶିଶୁ ମାମଲା ହାର ୫.୭୬ ପ୍ରତିଶତ ରହିଛି।
କୋଭିଡ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଗତବର୍ଷ ରାଜ୍ୟରେ ତିନିମାସ ଧରି ଏକ ସର୍ଭେ କରାଯାଇଥିଲା । ତେବେ ଏହି ସର୍ଭେରେ ୧,୬୨୫ଜଣ କୁଷ୍ଠରୋଗୀ ଚିହ୍ନଟ ହୋଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୧୯ରେ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ପ୍ରୋଫାଇଲ୍ (ଏନଏଚପି) ଅନୁଯାୟୀ, ଛତିଶଗଡ ପରେ ଓଡିଶାରେ କୁଷ୍ଠରୋଗର ପ୍ରାଦୁର୍ଭାବ ହାର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୩୦ ସୁଦ୍ଧା କୁଷ୍ଠରୋଗକୁ ସମ୍ପୂର୍ଣ୍ଣ ବିଲୋପ କରିବା ଲକ୍ଷ୍ୟ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି।
ଫାର୍ମଡ଼ ଇଣ୍ଡିଆର ନ୍ୟାସନାଲ ପ୍ରୋଗ୍ରାମ ମ୍ୟାନେଜର ବିଜୟ କୁମାର ସ୍ୱାଇଁ କହିଛନ୍ତି ଯେ, ସଚେତନତା ଅଭାବରୁ ଓଡିଶାରେ କୁଷ୍ଠ ରୋଗ ସୃଷ୍ଟି ହେଉଛି । ଏହା ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ଚ୍ୟାଲେଞ୍ଜ କରିଥାଏ । ତେବେ ସର୍ଭେ ସମୟରେ କୋଭିଡ-୧୯ ମହାମାରୀ ପରିସ୍ଥିତିକୁ ଆହୁରି ବଢାଇ ଦେଇଥିଲା । କ୍ୱାରେଣ୍ଟାଇନ, ସାମାଜିକ ଦୂରତା ଏବଂ ଲକଡାଉନ-ସର୍ଟଡାଉନ୍ ନିର୍ଦ୍ଦେଶାବଳୀ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆହ୍ୱାନ ସୃଷ୍ଟି କରିଥିଲା ଏବଂ ସୀମିତ ସକ୍ରିୟ ନୀରିକ୍ଷଣରେ କମ୍ ସଂଖ୍ୟକ ମାମଲା ଚିହ୍ନଟ ହୋଇଥଲା ବୋଲି ସେ କହିଛନ୍ତି।
କୁଷ୍ଠରୋଗକୁ ଉପଶମ କରୁଥିବା ଚିକିତ୍ସାର ଉପଲବ୍ଧତା ରହିଛି ମାତ୍ର ସ୍ୱେଚ୍ଛାକୃତ ଭାବରେ ତଥ୍ୟ ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୋଭାର୍ଟିସ୍ ଇନ୍ ଇଣ୍ଡିଆର ଯୋଗାଯୋଗ, ଏନଗେଜମେଣ୍ଟ ଏବଂ ସିଏସ୍ଆର୍ ବିଭାଗର ଦେଶ ମୁଖ୍ୟ, ବୈଶାଳୀ ଆୟର କହିଛନ୍ତି ଯେ, କୁଷ୍ଠରୋଗ ବିରୋଧରେ ଲଢେଇରେ ଡବ୍ଲୁଏଚଓର ସହଯୋଗ ଗୁରୁତ୍ୱପୂର୍ଣ୍ଣ । ତେବେ କୁଷ୍ଠରୋଗର ଔଷଧ ଯୋଗାଣକୁ ଆମେ ସମ୍ପୂର୍ଣ୍ଣ ମାଗଣା କରିଛୁ, ଯାହାଦ୍ୱାରା ବିଶ୍ୱରେ ଏହି ରୋଗର ହାର ୯୫% ହ୍ରାସ ପାଇବ। ଆମେ ୨୦୨୦ରେ ପୁଣିଥରେ ୨୦୨୫ ପର୍ଯ୍ୟନ୍ତ ଡବ୍ଲୁଏଚଓ ସହିତ ଆମର ଏମଓୟୁ ଅବଧି ବୃଦ୍ଧି କରିଛୁ । ଯହାଦ୍ୱାରା କୁଷ୍ଠରୋଗ ବିରୁଦ୍ଧରେ ଆମର ସଂଗ୍ରାମରେ ଡବ୍ଲୁଏଚଓର ଏଭଳି ସହଯୋଗ ରହିପାରିବ। ଆଉ ଆମେ ଏହି ଦୂରାରୋଗ୍ୟ ରୋଗକୁ ହରାଇବାରେ ସଫଳତା ପାରିବୁ ବୋଲି ସେ କହିଛନ୍ତି ।
କୁଷ୍ଠରୋଗକୁ ସମ୍ପୁର୍ଣ୍ଣ ବିଲୋପ କରିବା ଏବଂ ଏହି ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବାକୁ ହେଲେ ରୋଗୀଙ୍କୁ ଏମଡ଼ିଟି ପ୍ରେସକ୍ରାଇବ କରିବା ସହିତ ପ୍ରୋଫାଇଲକ୍ସିସ୍ ଭଳି ଉପାୟକୁ ଆପଣାଇବାକୁ ପଡିବ । ବିଶେଷଜ୍ଞମାନେ ଜୋର ଦେଇଛନ୍ତି ଯେ, ସଚେତନତା ଅଭିଯାନ ଏହି ରୋଗ ସହିତ ଜଡିତ କଳଙ୍କ ଏବଂ ଭେଦଭାବର ମୁକାବିଲା କରିଥାଏ ଏବଂ ସଂକ୍ରମିତ ଲୋକଙ୍କୁ ଚିକିତ୍ସା ପାଇଁ ଆଗକୁ ଆସିବାକୁ ଉତ୍ସାହିତ କରିଥାଏ। ଓଡ଼ିଶା ସରକାର ପ୍ରତ୍ୟେକ ବ୍ଲକ ସ୍ତରରେ ଜଣେ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି, ଯେଉଁମାନେ କୁଷ୍ଠରୋଗ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସହାୟତା କରୁଛନ୍ତି। ଏତଦ୍ବ୍ୟତୀତ, କୁଷ୍ଠରୋଗର ଅସ୍ତ୍ରୋପଚାର ପାଇଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ଅଧିକାଂଶ ଅସ୍ତ୍ରୋପଚାର ଘରୋଇ ଡାକ୍ତରଖାନାରେ ହେଉଥିବାବେଳେ ଓଡିଶାରେ ସରକାରୀ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । କୁଷ୍ଠରୋଗ ପ୍ରାୟତଃ ସବୁଠାରୁ କଳଙ୍କିତ ରୋଗ ଭାବରେ ଜଣାଯାଏ । ଯଦି ଠିକ୍ ସମୟରେ ଏହାର ଚିହ୍ନଟ ହୁଏ ତେବେ ଅଧିକାଂଶ ରୋଗ ୬ରୁ ୧୨ ମାସ ମଧ୍ୟରେ ଏହା ଆରୋଗ୍ୟ ହୋଇପାରେ ।
