ରସାୟନିକ ଅସ୍ତ୍ରଶସ୍ତ୍ର ମୁକ୍ତ ଦେଶରେ ପରିଣତ ହେଲା ଆମେରିକା
ୱାସିଂଟନ : ରସାୟନିକ ଅସ୍ତ୍ରଶସ୍ତ୍ର ମୁକ୍ତ ଦେଶରେ ପରିଣତ ହୋଇଛି ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ ଏ ନେଇ ଘୋଷଣା କରିଥିବା ବେଳେ କେଣ୍ଟୁକି ସ୍ଥିତ ଆମେରିକୀୟ ସେନାର ବ୍ଲୁ ଗ୍ରାସ ଆର୍ମି ଡିପୋ ତାଙ୍କର ଦଶନ୍ଧୀ ପୁରୁଣା ରସାୟନିକ ଅସ୍ତ୍ର ଷ୍ଟକ୍କୁ ସମାପ୍ତ କରି ଦେଇଥିବା କହିଛନ୍ତି। ଗତ ୭୦ ବର୍ଷ ହେଲା ଆମେରିକା ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଷ୍ଟୋର କରିଥିଲା। ଏହି ସବୁ ଅସ୍ତ୍ରକୁ ନଷ୍ଟ କରିବା ପାଇଁ ଆମେରିକା ସେନାକୁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହା ପୂର୍ବରୁ ଭାରତ ମଧ୍ୟ ତାର ରସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିଦେଇଛି।
ସୂଚନା ଯେ, ବିଶ୍ୱକୁ ରସାୟନିକ ଅସ୍ତ୍ର ମୁକ୍ତ କରିବା ପାଇଁ ୧୯୯୭ ମସିହାରେ ଏକ ବୈଶ୍ୱିକ ଉଦ୍ୟମ ହାତକୁ ନିଆଯାଇଥିଲା। ଏହିକ୍ରମରେ ଋଷିଆ ୨୦୧୭ ମସିହାରେ ତାର ରସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିଦେଇଥିଲା। ରସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିବାକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ ଏକ ଟ୍ୱିଟ୍ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଯୁକ୍ତ ରାଷ୍ଟ୍ର ଆମେରିକା ରସାୟନିକ ଅସ୍ତ୍ର ଭଣ୍ଡାରକୁ ସଫଳତା ପୂର୍ବକ ନଷ୍ଟ କରାଯାଇଛି। ଏହା ନିଶ୍ଚିତ ରୂପେ ଏକ ବଡ଼ ପଦକ୍ଷେପ ବୋଲି ସେ ଲେଖିଛନ୍ତି।
ଆମେରିକା ତାର ରସାୟନିକ ଅସ୍ତ୍ରଶସ୍ତ୍ରକୁ ପ୍ରଥମ ସମୁଦ୍ରରେ ଫିଙ୍ଗିଦେବାକୁ ଚାହୁଁଥିଲା। ହେଲେ ଲୋକଙ୍କ ବିରୋଧ ଯୋଗୁ ସରକାର ନିଷ୍ପତ୍ତି ବଦଳାଇଥିଲେ। ଏଣୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାକୁ ରବୋଟିକ ମେସିନର ସହାୟତା ନିଆଯାଇଛି। ଏହି ଅସ୍ତ୍ରଗୁଡିକୁ ସେଲରୁ ଖୋଲି, ସୁଖାଇ ୧୫୦୦ ଡିଗ୍ରି ଫାରେନହାଇଟ୍ ତାପମାତ୍ରାରେ ଜଳାଇ ଦିଆଯାଇଛି। ରସାୟନିକ ଅସ୍ତ୍ରଶସ୍ତ୍ର ନିଷେଧ ସଙ୍ଗଠନ ଓପିସିଡବ୍ଲୁଙ୍କ ମୁଖ୍ୟ ଫର୍ଣ୍ଣାଡୋ ଏରିୟସ୍ ସବୁ ଘୋଷିତ ରସାୟନିକ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ଏକ ମାଇଲ ଖୁଣ୍ଟ ଭଳି ବୋଲି କହିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ବିଜେତା ଓପିସିଡବ୍ଲୁ କହିଛନ୍ତି ଯେ ରସାୟନିକ ଅସ୍ତ୍ରଶସ୍ତ୍ରର ଉପଯୋଗର ଅର୍ଥ ବିଶ୍ୱକୁ ଏବେବି ସତର୍କ ରହିବାକୁ ହେବ।
