ଖରାପ ରାସ୍ତା ଯୋଗୁଁ ପହଞ୍ଚିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ମହିଳା!
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠସ୍ଥ ୱାର୍ଡ ନଂ୨୭ ତଲସାହି ଠାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ମଞ୍ଜୁ ମୁର୍ମୁ (୫୫)। ସେ ପୌରପାଳିକାରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି ।
ସୂଚନା ଯେ, ଉକ୍ତ ୱାର୍ଡରେ ରାସ୍ତାର ମରାମତି ପାଇଁ ବାଲେଶ୍ୱର ପୌରପାଳିକା ନିକଟରେ ବାରମ୍ବାର ଦାବୀ ହୋଇଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ । ଫଳରେ ବିପର୍ଯ୍ୟସ୍ତ ରାସ୍ତା ପାଇଁ ଜଣଙ୍କର ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିବା ସହ ପ୍ରଭୁଙ୍କ ପାଖେ ପରିବାର ବର୍ଗଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହିତ ଉକ୍ତ ଘଟଣା ଉପରେ ଧ୍ୟାନ ଦେଇ ଗରିବ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବାଲେଶ୍ୱର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ।


