ଜାତୀୟ ରାଜପଥ ୬୦ରେ ଆମ୍ବୁଲାନ୍ସ ଦୁର୍ଘଟଣା : ୧ ମୃତ, ୫ ଗୁରୁତର
ଜଳେଶ୍ୱର : ଆଜି ମଙ୍ଗଳବାର ଭୋର ୪ଟି ସମୟରେ ଜଳେଶ୍ୱର ନିକଟ ୬୦ନଂ ଜାତୀୟ ରାଜପଥର ଖୁସିପ୍ଲାଜା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଡ୍ରାଇଭରଙ୍କ ସହିତ ୬ଜଣ ଗୁରୁତର ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ପଶ୍ଚିମବଂଗର ପଶ୍ଚିମମେଦିନିପୁର ଜିଲା ଅନ୍ତର୍ଗତ କେଶପୁର ଅଂଚଳର ଜଣେ ରୋଗୀଙ୍କୁ ନେଇ ତାଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସ୍କୁ ଚିକିତ୍ସାପାଇଁ ଆସିଥିଲେ । ସେଠାରୁ ଆଜି ଫେରିବା ବେଳେ ଜଳେଶ୍ୱର ନିକଟ ୬୦ନଂ ଜାତୀୟ ରାଜପଥର ଖୁସିପ୍ଲାଜା ନିକଟରେ ଡ୍ରାଇଭରର ଅସାବଧାନତା ଯୋଗୁଁ ପାଶ୍ୱର୍ରେ ଛିଡା ଯୋଇଥିବା ଏକ ମାଛ ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଫବ୍ଲୁବି ୩୩ଇ୧୦୩୮ ଘରୋଇ ଆମ୍ବୁଲାନ୍ସର ସମ୍ମୁଖଭାବ ଚେପା ହୋଇ ଯାଇଥିଲା । ସେଥିରେ ଥିବା ଡ୍ରାଇଭର ଏସକେ ହବିବୁର (୨୬) ଓ ଏସକେ ତାଜୁବ ଖା(୩୨), ଏସ୍କେ ସାଦିକ ଅଲି (୩୦), ଇରସାଦ ଖାଁ (୫୨), ଏସ୍କେ ମାଫିଜୁଲ (୬୫), ସାହାଜୁଦ୍ଦିନ ଖାଁ (୪୦), ଇସ୍ମା ଖାତୁନ (୩୦) ପ୍ରମୁଖ ଗୁରୁତର ହୋଇ ଜିକେଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରେ ରୋଗୀ ଇରସାଦ ଖାଁର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ୍ ପହଞ୍ଚି ଆମ୍ବୁଲାନ୍ସକୁ ଜବତ୍ କରିଥିବା ଜଣାଯାଇଛି ।
