ଶହୀଦ ପରିବାର ବର୍ଗଙ୍କୁ ଜମିପଟ୍ଟା ପ୍ରଦାନ
ବାରିପଦା : ଆଜି ପୂର୍ବାହ୍ନରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ କକ୍ଷରେ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଥିବା ଜିଲ୍ଲାର ୩ ଜଣ ଶହୀଦଙ୍କ ପରିବାର ବର୍ଗଙ୍କୁ ବାରିପଦା ପୌରାଂଚଳରେ ୪ ଡେସିମିଲ ଲେଖାଏଁ ଜମୀର ପଟ୍ଟା ପ୍ରଦାନ କରିଛନ୍ତି । ଏହି ଅବସରରେ ଶୁଳିଆପଦାର ଶହୀଦ ହିକିମ ହେମ୍ବ୍ରମଙ୍କ ମାତା ବୁଧୁ ହେମ୍ବ୍ରମ, ରାସଗୋବିନ୍ଦପୁରର ଶହୀଦ ସୁରେଶ ଚନ୍ଦ୍ର ହେମ୍ବ୍ରମଙ୍କ ଧର୍ମପତ୍ନୀ ପୁଷ୍ପମଂଜରୀ ସୋରେନ ଓ ଶୁଳିଆପଦାର ଶହୀଦ ସୁଧୀର କୁମାର ଟୁଡୁଙ୍କ ମାତା ଜାଉନା ଟୁଡୁଙ୍କୁ ଜିଲ୍ଲାପାଳ ଉକ୍ତ ଜମି ପଟ୍ଟା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଶହୀଦ ହିକିମ ହେମ୍ବ୍ରମ ସିଆରପିଏଫରେ ଶହୀଦ ସୁରେଶ ଚନ୍ଦ୍ର ହେମ୍ବ୍ରମ ଓ ସୁଧୀର କୁମାର ଟୁଡୁ ଓଡିଶା ପୋଲିସର ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଥିଲାବେଳେ ଶହୀଦ ହୋଇଥିଲେ । ଶହୀଦ ସୁଧୀର କୁମାର ଟୁଡୁଙ୍କୁ ତାଙ୍କର ସାହାସିକତା ପାଇଁ ନିକଟ ଅତୀତରେ ମରଣତର ଭାବେ ସୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇ ଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୁଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଶହୀଦ ପରିବାର ମାନଙ୍କ ପାଇଁ ବିଭିନ୍ନ ସରକାରଙ୍କ ତରଫରୁ ଯେଉଁ ସବୁ ଯୋଜନା ଓ ସହାୟତା ନୀତି ଲାଗୁ କରାଯାଉଛି ସେସବୁ ମଧ୍ୟ ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଅବସରରେ ପ୍ରକାଶ କରିଥିଲେ ।
