ବିଦ୍ୟାଳୟ ଭିତରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ
ଯାଜପୁର : ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ମାଡ ।ଏଭଳି ଘଟଣା ଘଟିଛି ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ହୋଇଥିବାବେଳେ ଅଭିଯୋଗକୁ ଭିର୍ତ୍ତିକରି ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ମାହୁନ୍ତ ଓ ଅନ୍ୟ ଶିକ୍ଷକମାନେ ଶ୍ରେଣୀ ଗୃହରେ ଶିକ୍ଷଣ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ କୁଆଁରପୁର ଗ୍ରାମ ତଥା ଚମ୍ପେଇପାଳ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜୟନ୍ତ ନାୟକ ଓ ସେହି ଗ୍ରାମର ଚନ୍ଦନ ଯେନା ହଠାତ୍ ବିଦ୍ୟାଳୟର ଶ୍ରେଣୀ କୋଠରୀରେ ପ୍ରବେଶ କରି ସହକାରୀ ଶିକ୍ଷକ ସନ୍ତୋଷ ନାୟକଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସହକାରୀ ଶିକ୍ଷକ ଶ୍ରୀ ନାୟକ ଏଥିରେ ପ୍ରତିବାଦ କରିବାରୁ ୨ ଅଭିଯୁକ୍ତ ଶିକ୍ଷକ ଶ୍ରୀ ନାୟକଙ୍କୁ ମାଡ ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ମାହୁନ୍ତ ଘଟଣାସ୍ତଳରେ ପହଞ୍ôଚ ଯିବାରୁ ଉଭୟ ଜୟନ୍ତ ନାୟକ ଓ ଚନ୍ଦନ ଯେନା ପ୍ରଧାନ ଶିକ୍ଷକ ଶ୍ରୀ ମାହୁନ୍ତଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ ମାରିବାକୁ ଚେତାବନି ଦେବା ସହିତ ବିଦ୍ୟାଳୟ ପରିସରରୁ ସମସ୍ତଙ୍କୁ ପଳାଇ ଯିବାକୁ ଧମକ ଦେଇଥିଲେ । ଏହି ଘଟଣାରେ ମ୍ରିୟମାଣ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିିବାରୁ ଉଭୟ ଅଭିଯୁକ୍ତ ବିଦ୍ୟାଳୟ ପରିସରରୁ ବାହାରି ଫାଟକ ନିକଟରେ ପୁନର୍ବାର ଅଶ୍ଳୀଳ ଭାଷାରେ ପାଟିତୁଣ୍ଡ କରି ଶିକ୍ଷକ ମାନଙ୍କୁ ମାଡ ମାରିବା ପାଇଁ ଧମକ ଦେଇଥିଲେ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ମାହୁନ୍ତ ଓ ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାୟକ, ପ୍ରକାଶ ଚନ୍ଦ୍ର ସେଠୀ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହିତ ପୁଲିସ୍ ସୁରକ୍ଷା ଦାବି କରିଛନ୍ତି । ଅଭିଯୋଗକୁ ଭିର୍ତ୍ତିକରି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୋଗର ସତ୍ୟତା ଥିଲେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ମଙ୍ଗଳପୁର ଥାନାଧିକାରିଣୀ ରିନାରାଣୀ ସାହୁ ସୂଚନା ଦେଇଛନ୍ତି ।
