ନିୟମ ଉଲ୍ଲଂଘନ ଅଭିଯୋଗ; ୭ ଦିନରେ ୧୦୯୬ଟି ସ୍କୁଲ୍ ଗାଡ଼ି ଦଣ୍ଡିତ
ଭୁବନେଶ୍ୱର : ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ବା ଅନ୍ୟ ଗାଡ଼ି ଗୁଡ଼ିକର ଫିଟ୍ନେସ୍ ଚେକିଂ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତ ୭ ଦିନର ଚଢ଼ାଉରେ ୧୦୯୬ଟି ସ୍କୁଲ୍ ଗାଡ଼ି ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଥିବା ପରିବହନ ଓ ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।
ଏହି ୧୦୯୬ଟି ଗାଡ଼ି ମଧ୍ୟରୁ ଫିଟ୍ନେସ୍ ସାର୍ଟିଫିକେଟ ବିନା ୮୨୦ଟି ଗାଡ଼ି ଚାଲୁଥିଲା। ସେହିପରି ୩୮୭ଟି ଗାଡ଼ିର ବୈଧ ଅନୁମତି ନାହିଁ। ଏହାସହ ୩୧୧ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ। ସେହିପରି ସ୍କୁଲ ପିଲାଙ୍କ ପରିବହନ ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଛାତ୍ରମାନଙ୍କ ଅସୁବିଧା ପାଇଁ ସଂପୃକ୍ତ ସ୍କୁଲ ବସ୍ ଅପରେଟର ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ ରହିବେ। ସେହିପରି ଏସ୍ଟିଏ ପକ୍ଷରୁ ବସ୍ ଗୁଡ଼ିକର ଫିଟ୍ନେସ୍ ଉପରେ ଗୁରୁତ୍ୱ ଦେବା ଓ ସମସ୍ତ ମୋଟର ଯାନ ନିୟମ ପାଳନ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକୁ ନିବେଦନ କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁପଯୁକ୍ତ ବସ୍ ଉପରେ ନଜର ରଖନ୍ତୁ ବୋଲି ନିବେଦନ କରାଯାଇଛି। ଗାଡ଼ି ଚଲାଇବା ପାଇଁ ଡ୍ରାଇଭର ମାନଙ୍କର ବୈଧ ଲାଇସେନ୍ସ ଅଛି କି ନାହିଁ, ତାହା ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି।
