ସମସ୍ତ ଚିକିତ୍ସା ହେଲା ବିଫଳ ! ଆଖିବୁଜିଲା ପୋଷା ଦନ୍ତା ହାତୀ ‘ନନ୍ଦ’
ଭୁବନେଶ୍ୱର : ସମସ୍ତ ଚିକିତ୍ସା ହେଲା ବିଫଳ । ଶେଷରେ ଆଖିବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଡିବାରୀରେ ଥିବା ୩୫ ବର୍ଷୀୟ ନନ୍ଦର ମୃତ୍ୟୁ ହୋଇଛି। ଗତ ୨୦ ଦିନ ତଳେ ହାତୀଟିକୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରଙ୍କୁଳାଇଜ କରାଯାଇଥିଲା। ତାପର ଠାରୁ ହାତୀଟି ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ରବିବାର ଭୋର ୪ଟାରେ ହାତୀଟି ଅଚାନକ ତଳେ ପଡ଼ିଯାଇଥିଲା । ଯେଉଁ କାରଣରୁ ସେ ଆଉ ଉଠିପାରିନଥିଲା । ଓୟୁଏଟି ଔଷଧ ବିଭାଗର ମୁଖ୍ୟ ପ୍ରଫେସର ତଥା କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଣୀ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ଡା. ନିରଞ୍ଜନ ସାହୁ, ଅସ୍ଥ ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ଇନ୍ଦ୍ରମଣୀ ନାଥ ଓ ନନ୍ଦନକାନନର ସନ୍ତୋଷ ଗୁପ୍ତା ନନ୍ଦର ଚିକିତ୍ସା କରିଥିଲେ । ଖାଇବା ପିଇବା ଛାଡି ଦେଇଥିବା ନନ୍ଦର ଅବସ୍ଥା ବିଗିଡି ଯାଇଥିଲା । ଶେଷରେ ସୋମବାର ଭୋର ସମୟରେ ହାତୀଟିର ମୃତ୍ୟୁ ହୋଇଛି ।
୧୯୮୭ ମସିହା ମେ’ ୧୪ ତାରିଖରେ ନନ୍ଦନକାନନର ମାଈ ହାତୀ ବାସନ୍ତୀ ଗର୍ଭରୁ ଜନ୍ମଲାଭ କରିଥିଲା । ତେବେ ନନ୍ଦନକାନନରେ ଜନ୍ମ ହୋଇଥିବାରୁ ହାତୀର ନାଁ ନନ୍ଦନ ରଖାଯାଇଥିଲା । ନନ୍ଦ ଏକ କୁମକି ତାଲିମପ୍ରାପ୍ତ ହାତୀ । ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହୋଇଥାଏ । ୧୯୮୭ ମେ’ ୧୪ରେ ନନ୍ଦନକାନନର ମାଈ ହାତୀ ‘ବାସନ୍ତୀ’ ଗର୍ଭରୁ ଜନ୍ମଲାଭ କରିଥିବା ଏକମାତ୍ର ହାତୀ। ସେ ନନ୍ଦନକାନନରେ ହିଁ ବଢ଼ିଥିଲା। କାଳକ୍ରମେ ମସ୍ତ ହୋଇ ଉତ୍ପାତ କରି ଚର୍ଚ୍ଚାକୁ ଆସିଥିଲା। ୧୦ ବର୍ଷ ବୟସର ହୋଇଥିବା ବେଳେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହକୁ କଚାଡ଼ି ମାରିଥିଲା। ସେହି ଦିନଠାରୁ ତା’ଗୋଡରେ ଶିକୁଳି ପକାଯାଇ ହାତୀଶାଳରେ ବନ୍ଦୀ କରି ରଖାଯାଇଥିଲା । ଏହାପରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ୨୦୧୦ ସେପ୍ଟେମ୍ବର ୧୩ରେ ‘ନନ୍ଦ’ର ମାନସିକ ଅବସ୍ଥା ଅନୁଧ୍ୟାନ କରି ତାକୁ ଶିକୁଳିରୁ ମୁକ୍ତ କରାଯାଇ ନନ୍ଦନକାନନ ପରିସରରେ ପରିକ୍ରମା କରାଯାଇଥିଲା ।
ପର ଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ରେ ଚନ୍ଦକାର କୁମାରଖୁଣ୍ଟିକୁ ନେବା ଲାଗି ପ୍ରୟାସ କରିବାରୁ ସେ ନନ୍ଦନକାନନ ପଛ ପାଖ ୯ ନମ୍ବର ଫାଟକ ଡେଇଁବାକୁ ଅମଙ୍ଗ ହୋଇଥିଲା । ଶେଷରେ ୨୦୧୦ ଅକ୍ଟୋବର ୨୫ରେ ତାକୁ ନିଶ୍ଚେତକ ଦେଇ ଅଚେତ ଅବସ୍ଥାରେ ଦଶ ଚକିଆ ଟ୍ରକ୍ରେ ଲଦି କୁମାରଖୁଣ୍ଟିକୁ ନିଆଯିବା ସହ ସେଠାରେ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା । ୨୦୧୪ ଜାନୁଆରି ପହିଲାରେ ନନ୍ଦନକାନନକୁ ଅନୁପ୍ରବେଶ କରିଥିବା ଜଙ୍ଗଲି ମାକନା ହାତୀକୁ ଧରିବା ପାଇଁ ‘ନନ୍ଦ’ର ସହାୟତା ନିଆଯାଇଥିଲା। ସେହି ମାସ ୩ ତାରିଖରେ ନନ୍ଦ ନନ୍ଦନକାନନର ବୟସ୍କା ମାଈ ହାତୀ ‘ପ୍ରେମା’ ଓ ‘ବାସନ୍ତୀ’ ସହ ମିଶି ମାକନାକୁ ଧରାଇବାରେ ସହାୟକ ହୋଇଥିଲା । ସେହି ମାସ ୧୦ ତାରିଖରେ ମସ୍ତ ହେବା ସହ ନନ୍ଦନକାନନ ଛାଡ଼ିବାକୁ ନାରାଜ ହେବାରୁ ତାକୁ ବହୁ କଷ୍ଟରେ ଚନ୍ଦକାକୁ ନିଆଯାଇଥିଲା ।
