ଆସନ୍ତାକାଲି ଠାରୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ
ନୂଆଦିଲ୍ଲୀ : ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଆଗାମୀ ଆଦେଶ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ ।
ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ବଢୁଥିବା ପ୍ରଦୂଷଣକୁ ନେଇ ଦାୟର ମାମଲାର ଶୁଣାଣି କ୍ରମରେ ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ୨୪ ଘଂଟାର ବିକଳ୍ପ ଦେଇଥିଲେ । କୋର୍ଟ କହିଥିଲେ କି ସରକାର ଏ ନେଇ ୨୪ ଘଂଟା ମଧ୍ୟରେ ପଦକ୍ଷେପ ନନେଲେ କୋର୍ଟ ନିଜ ତରଫରୁ ଆଦେଶ ଜାରି କରିବ । କୋର୍ଟ ଆହୁରି କହିଥିଲେ କି ବିପଦ ସମୟରେ ଅସାଧାରଣ ପଦକ୍ଷେପ ଉଠାଇବାର ଆବଶ୍ୟକତା ରହିଛି ଓ ପ୍ରତିଥର ଅମଲାତନ୍ତ୍ରକୁ କ’ଣ କରିବା ଉଚିତ ତାହା କହିବାର ଆବଶ୍ୟକତା ନାହିଁ । ଅନ୍ୟପଟେ ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ବି ବର୍ଷିଛନ୍ତି ସୁପ୍ରିମ କୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବା ପରେ ଦିଲ୍ଲୀ ସରକାର ପଦକ୍ଷେପ ସ୍ୱରୂପ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଥିଲେ । ଏହାସହ ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଥିଲେ । ଏହାର କିଛିଦିନ ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସ୍ଥିରଥିବା ଦର୍ଶାଇ ଦିଲ୍ଲୀ ସରକାର ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଏନ.ଭି ରମନ୍ନା ଦିଲ୍ଲୀ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ଅସନ୍ତୋଷ ଜାହରି କରିଛନ୍ତି ।
