ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପ : ୨୧ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ଫାଇନାଲ୍ରେ ଲକ୍ଷ୍ୟ ସେନ
ନୂଆଦିଲ୍ଲୀ : ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ରୋମାଞ୍ଚକର ସେମି ଫାଇନାଲ୍ରେ ମାଲେସିଆର ଜି ଜିୟା ଲିଙ୍କୁ ୨୧-୧୩, ୧୨-୨୧, ୨୧-୧୯ରେ ହରାଇ ଲକ୍ଷ୍ୟ ସେନ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟ ଶେଷ ପର୍ଯ୍ୟନ୍ତ ଏକ ଘଣ୍ଟା ୧୬ ମିନିଟ୍ର ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଜିତିବାରେ ସଫଳ ହୋଇଛନ୍ତି। ଏଥିସହ ୨୧ ବର୍ଷ ପରେ ଫାଇନାଲ୍ରେ ପହଞ୍ଚିପାରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି।
୧୯୮୦ରେ ମହାନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଏବଂ ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଚାମ୍ପିଅନ ହେବା ପରେ ଲକ୍ଷ୍ୟ ସେନ ଫାଇନାଲ୍ରେ ପହଞ୍ଚିବାରେ ତୃତୀୟ ଭାରତୀୟ ପୁରୁଷ ଖେଳାଳି ହୋଇ ପାରିଛନ୍ତି। ଜି ଜିୟା ଲିଙ୍କ ବିରୋଧରେ ଲକ୍ଷ୍ୟଙ୍କ ଏହା ଦ୍ଵିତୀୟ ବିଜୟ। ଏହା ପୂର୍ବରୁ ଏହି ମାଲେସିଆ ଖେଳାଳିଙ୍କୁ ୨୦୧୬ରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିରିଜ୍ରେ ପରାସ୍ତ କରିଥିଲେ।
ସୂଚନା ଯେ, ବିଶ୍ଵ ରାଙ୍କିଙ୍ଗରେ ସେନ ୧୧ମ ସ୍ଥାନରେ ଅଛନ୍ତି। ଫାଇନାଲରେ ସେ ଏକ ନମ୍ବର ସିଡ୍ ଡେନମାର୍କର ଭିକ୍ଟର ଏକ୍ସେଲସେନଙ୍କୁ ଭେଟିବେ। ଗତ ଛଅ ମାସରୁ ସେ ଭଲ ଲୟରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ଇଣ୍ଡିଆ ଓପନ ଭାବେ ନିଜର ପ୍ରଥମ ସୁପର ୫୦୦ ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଗତ ସପ୍ତାହରେ ଜର୍ମାନ ଓପନରେ ଉପ ବିଜେତା ଥିଲେ।
