ଅଲାରନାଥଙ୍କ ଚତୁର୍ଭୁଜ ନାରାୟଣ ଦର୍ଶନ, ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ରହ୍ମଗିରି : ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନବେଦୀରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଜ୍ବର ହୋଇଛି । ଫଳରେ ଶ୍ରୀଜିଉ ୧୪ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି । ଏହି ୧୪ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏହି ପରିପ୍ରେକ୍ଷୀରେ ସୋମବାର ୧୩ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ଜାରି ରହିଛି । ଆସନ୍ତା ମଙ୍ଗଳବାର ମହାପ୍ରଭୁ ଅଲାରନାଥଙ୍କ ଶେଷ ଅନବସର ଦର୍ଶନ ହେବ ।
ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣ ରୂପରେ ଦେଉଛନ୍ତି ଦର୍ଶନ। ନାରାୟଣଙ୍କ ରୂପରେ ଜଗନ୍ନାଥ ଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ପ୍ରେମୀ ଭକ୍ତ । ବ୍ରହ୍ମଗିରି ର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ନିଜ ଜୀବନକୁ ଭାଗ୍ୟ ମଣିଛନ୍ତି ଶ୍ରଦ୍ଧାଳୁ । ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରିକୁ । ଆଜି ଭୋର ୩.୩୦ ରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ଅନବସର ବେଶ,ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ୫.୩୦ ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସୂଚନା ଯେ, ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ଜ୍ୱର ହେବା ପରେ ଏବେ ସେବାୟତଙ୍କ ଓଷ ଲାଗିହେବା ଦ୍ୱାରା ଶ୍ରୀଜୀଉମାନେ ସୁସ୍ଥ ହେଲେଣି । ନବଯୌବନରେ ଦର୍ଶନ ଦେବା ସହ ଶ୍ରୀ ଜୀଉଙ୍କର ହେବ ଗୁଣ୍ଡିଚା ଯାତ୍ରା ।
