ତାଲିବାନ୍କୁ ଅଭିନନ୍ଦନ ଜ୍ଞାପନ କଲା ଅଲ୍-କାଏଦା
- କଶ୍ମୀରକୁ ଇସ୍ଲାମ୍ ଶତ୍ରୁମାନଙ୍କ କବଳରୁ ମୁକ୍ତ କରାଯିବା ଉଚିତ୍
ନୂଆଦିଲ୍ଲୀ : ତାଲିବାନ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ କଶ୍ମୀରକୁ ମଧ୍ୟ ଇସ୍ଲାମ୍ ଶତ୍ରୁମାନଙ୍କ କବଳରୁ ମୁକ୍ତ କରାଯିବା ଉଚିତ ବୋଲି ଆତଙ୍କବାଦୀ ସଙ୍ଗଠନ ‘ଅଲ୍-କାଏଦା’ ଆହ୍ୱାନ ଦେଇଛି । ଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା ବିଦାୟ ନେବା ପରେ ଏକ ବିବୃତିରେ ‘ଅଲ୍-କାଏଦା’ କହିଛି, ଇସ୍ଲାମ୍ ଶତ୍ରୁମାନଙ୍କ ପଞ୍ଝାରୁ ପାଲେଷ୍ଟାଇନ୍, ଲେବାନ୍ତ, ସୋମାଲିଆ, ୟେମେନ୍, କଶ୍ମୀର ଏବଂ ବାକି ଦେଶମାନଙ୍କୁ ମୁକ୍ତ କର । ହେ, ଆଲ୍ଲା! ବିଶ୍ୱବ୍ୟାବୀ ଥିବା ମୁସଲମାନ୍ କଏଦୀମାନଙ୍କୁ ମୁକ୍ତି ଦିଅ । ପ୍ରାୟ ସମଗ୍ର ଆଫଗାନିସ୍ତାନକୁ ନିୟନ୍ତ୍ରଣାଧୀନ କରିଥିବା ତାଲିବାନ୍ ପଞ୍ଜଶୀର ଉପତ୍ୟକାରେ ‘ତାଲିବାନ୍-ବିରୋଧୀ ଫୈଜ’ଙ୍କ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଛନ୍ତି । ଆଫଗାନିସ୍ତାନକୁ ଆତଙ୍କବାଦୀମାନଙ୍କ ହାତକୁ ଟେକି ଦେବେ ନାହିଁ ବୋଲି ତାଲିବାନ୍ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଦେଶବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଆମେରିକୀୟ ସେନା ଆଫଗାନିସ୍ତାନ ପରିତ୍ୟାଗ କରିଥିଲେ ସୁଦ୍ଧା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ, ଆଉ କ୍ଷେତ୍ରବିଶେଷ ଯୁଦ୍ଧରେ ଅଂଶ ଗ୍ରହଣ ନ କଲେ ମଧ୍ୟ ‘ଆଇଏସ୍ଆଇଏସ୍’ ଭଳି ଆତଙ୍କବାଦ ବିପଦରୁ ଆମେରିକାକୁ ନିରାପଦ ରଖାଯିବ । ସେ କହିଛନ୍ତି, ଏ ହେଉଛି ଗୋଟାଏ ନୂତନ ଜଗତ୍ । ଆତଙ୍କବାଦ ବିପଦ ଆଫାଗାନିସ୍ତାନ ଠାରୁ ଅନେକ ଦୂର, ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି । ସୋମାଲିଆରେ ଆମେ ଅଲ୍-ଶବାବ୍, ସିରିୟାରେ ଏବଂ ଆରବ ଉପଦ୍ୱୀପରେ ଅଲ୍-କାଏଦା ଅନୁବନ୍ଧିତ ସଙ୍ଗଠନରୁ ବିପଦ ରହିଛି । ସିରିୟା ଏବଂ ଇରାକ୍ରେ ‘ଆଇଏସ୍ଆଇଏସ୍’ ଖଲିଫେଟ୍ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇବା ସହ ସମଗ୍ର ଆଫ୍ରିକା ଏବଂ ଏସିଆରେ ଅନୁବନ୍ଧିତ ସଙ୍ଗଠନ ସ୍ଥାପନ ପାଇଁ ଉଦ୍ୟମ ଚଳାଇଛି ।
