୨୪୨ ଭାରତୀୟଙ୍କୁ ନେଇ ୟୁକ୍ରେନରୁ ଭାରତ ଫେରିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍ରେ ଫସିଥିବା ଭାରତୀୟ ନାଗରିକଙ୍କ ଆଣିବା ପାଇଁ ଯାଇଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ବି-୭୮୭ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅବତରଣ କରିଛି । ବିମାନ ଯୋଗେ ୨୪୨ ଭାରତୀୟ ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି । ବିମାନଟି ଟର୍ମିନାଲରେ ପହଞ୍ଚିବା ପରେ ଅପେକ୍ଷା କରି ଠିଆ ହୋଇଥିବା ଭାରତୀୟ ଅଧିକାରୀମାନେ ଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ। ଯାତ୍ରୀମାନେ ମଧ୍ୟ ବିଜୟର ସଙ୍କେତ ଦେଖାଇ ହାତ ହଲାଇ ଧନ୍ୟବାଦ ଦେଇଥିଲେ। ଏହା ସହ ‘ଭାରତ ମାତା କି ଜୟ’ର ସ୍ଲୋଗାନ ଦେଇଥିଲେ।
The situation is normal there (Ukraine). The college didn't ask us to return. Panic was created due to several media reports, our study is being impacted, Shivam Chaudhary who is pursuing MBBS in Ukraine said at Delhi airport pic.twitter.com/NfDqxbt9cS
— ANI (@ANI) February 22, 2022
ଦିଲ୍ଲୀରେ ପହଞ୍ଚିବା ପରେ ଜଣେ ଛାତ୍ରୀ କହିଛନ୍ତି ଯେ, ସେଠାରେ ସ୍ଥିତି ସ୍ୱାଭାବିକ। ଆମେ ଦୂତାବାସର ପରାମର୍ଶକୁ ଅନୁସରଣ କଲୁ । ସେହିପରି ଅନ୍ୟ ଜଣେ କହିଛନ୍ତି କି, “ମୁଁ ମୋ ଦେଶକୁ ଫେରି ଖୁସି। ୟୁକ୍ରେନର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ଭାରତୀୟ ଦୂତାବାସ ଆମକୁ ଦେଶ ଛାଡିବାକୁ କହିଥିଲେ, ଯାହା ପରେ ମୁଁ ବର୍ତ୍ତମାନ ଭାରତରେ ପହଞ୍ଚିଛି।
#WATCH | Air India special flight carrying around 242 passengers from Ukraine reaches Delhi pic.twitter.com/ctuW0sA7UY
— ANI (@ANI) February 22, 2022
ଭାରତ ପକ୍ଷରୁ ପଠାଯାଇଥିବା ଏହି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନ ରାଜଧାନୀ କିବରୁ ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଉଡ଼ାଣ ଭରିଥିଲା । ଏୟାର ଇଣ୍ଡିଆର ବୋଇଙ୍ଗ-୭୮୭ ବିମାନରେ ୨୪୨ ଯାତ୍ରୀ ଭାରତ ଫେରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବା ସହ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଯୁଦ୍ଧ ପରିସ୍ଥିତି ଉଗ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ବିଭିନ୍ନ ଦେଶ ୟୁକ୍ରେନରେ ଥିବା ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଥିବା ବେଳେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ବ୍ଯାପକ କରିଛନ୍ତି । ଭାରତ ମଧ୍ୟ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ମଙ୍ଗଳବାର ୟୁକ୍ରେନ ଅଭିମୁଖେ ଉଡାଣ ଭରିଥିଲା । ସେହିପରି ଆସନ୍ତା ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ କ୍ୱିଭ୍ ଅଭିମୁଖେ ଯାତ୍ରା କରିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୭ରେ ଏୟାର ଇଣ୍ଡିଆ ସମେତ ଅନ୍ୟ କ୍ୟାରିୟରଗୁଡ଼ିକୁ ଅନୁରୋଧ କରାଯାଇଥିଲା।
