ଏୟାର ବବୁଲ ଚୁକ୍ତିନାମା : ସାଉଦି ଆରବ ସମେତ ୧୦ ଦେଶକୁ ଭାରତର ପ୍ରସ୍ତାବ
ନୂଆଦିଲ୍ଲୀ: ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ ବିମାନ ଚଳାଚଳ ପାଇଁ ସାଉଦି ଆରବିଆ ଏବଂ ଅନ୍ୟ ୯ ଟି ଦେଶକୁ ପ୍ରସ୍ତାବ ପଠାଇଛି ଭାରତ । ସମ୍ପ୍ରତି ବିଭିନ୍ନ ଦେଶ ସହିତ ଦ୍ବିପାକ୍ଷିକ ଏୟାର ବବୁଲ ଚୁକ୍ତିନାମାରେ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସୀମିତ ଭାବେ ପରିଚାଳିତ ହେଉଛି । ବର୍ତ୍ତମାନ ଆଉ ୧୦ ଦେଶକୁ ପ୍ରସ୍ତାବ ପଠାଯାଇଥିବାବେଳେ ସେମାନଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି ବୋଲି ଲୋକସଭାରେ ଉତ୍ତର ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ।
ସିନ୍ଧିଆ କହିଛନ୍ତି, ନଭେମ୍ବର ୨୪ ସୁଦ୍ଧା ଭାରତ ୩୧ଟି ଦେଶ ସହିତ ଦ୍ବିପାକ୍ଷୀକ ଏୟାର ବବୁଲ ବ୍ୟବସ୍ଥାରେ ବିମାନ ସେବା ଜାରି ରଖିଛି । ବର୍ତ୍ତମାନ ଏହି ଦିଗରେ ଚୁକ୍ତି ପାଇଁ ଭାରତ ପକ୍ଷରୁ ୧୦ଟି ପ୍ରସ୍ତାବ ବିଚାରାଧୀନ ଅଛି । ଆମେ ଏହି ପ୍ରସ୍ତାବଗୁଡ଼ିକୁ ସାଉଦି ଆରବିଆ ସମେତ ଅନ୍ୟ ୯ ଦେଶକୁ ପଠାଇ ସେମାନଙ୍କ ମତାମତକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ସିନ୍ଧିଆ । ଗୃହରେ ମହମ୍ମଦ ବଶୀରଙ୍କ ଦ୍ବାରା ପଚରାଯାଇଥିବା ଏହି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସିନ୍ଧିଆ ଏହି ତଥ୍ୟ ରଖିଛନ୍ତି ।
