କୃଷି ନିୟମ ସଂଶୋଧନ ଉପରେ ଆଲୋଚନା ହୋଇପାରେ : କେନ୍ଦ୍ର କୃଷିମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କିଷାନ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଭାରତ ସରକାର ତିନୋଟି କୃଷି ନିୟମ ଉପରେ ଯେକୌଣସି କୃଷକ ସଂଗଠନ ସହିତ ସେ କୌଣସି ସମୟରେ କଥାବାର୍ତା କରିବାକୁ ପ୍ରସ୍ତୁତ ଅଛନ୍ତି । ତୋମାର ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ଦେଶର କୌଣସି କୃଷକ ସଂଗଠନ ଅନୁଭବ କରୁଛନ୍ତି ସେ ଏହି ତିନୋଟି ଆଇନରେ ତ୍ରୁଟି ଅଛି ଏବଂ ଯଦି ଏହି ତ୍ରୁଟି ସମ୍ପର୍କରେ ସେମାନଙ୍କର କୌଣସି ପରାମର୍ଶ ଅଛି, ତେବେ କେନ୍ଦ୍ର ସରକାର ସେମାନଙ୍କ ସହ କଥାବାର୍ତା କରିବାକୁ ପ୍ରସ୍ତୁତ କିନ୍ତୁ ଆଇନକୁ ଫେରସ୍ତ ନିଆଯିବ ନାହିଁ । ମନ୍ତ୍ରୀ କହିଛନ୍ତି ଯେ, ଯଦି କୌଣସି ସଂସ୍ଥା ଆଇନରେ ସଂଶୋଧନ ବିଷୟରେ କହିବାକୁ ଚାହାଁନ୍ତି ତେବେ ସେମାନେ କୃଷକ ନେତା ସଂଗଠନକୁ ସ୍ୱାଗତ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ କୃଷକଙ୍କ ହିତରେ ଥିବାରୁ ସେମାନେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏଥି ସହିତ ଦିଲ୍ଲୀର ତିନି ସୀମାରେ ଆନ୍ଦୋଳନକାରୀ କୃଷକ ଏବଂ ସେମାନଙ୍କ ନେତାମାନେ କହିଛନ୍ତି ଯେ, ଏହି ନିୟମ କୃଷି ବିରୋଧି । ସରକାର ଏହି ତିନୋଟି ନିୟମ ଆଣି ଚାଷକୁ କର୍ପୋରେଟକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି । ଏହି ଘଟଣାରେ ଚାଷୀମାନେ ସଫା ସଫା କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର କରାନଯାଇଛି ସେମାନେ ତାଙ୍କ ଘରକୁ ଫେରିବେ ନାହିଁ ।
