ଲୋକସଭାରୁ ଆସିଲା ଚିନ୍ତାଜନକ ତଥ୍ୟ : ଚାଷୀଙ୍କ ଆୟ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଅତି ନଗଣ୍ୟ
ଓଡ଼ିଶା କୃଷକଙ୍କ ମାସିକ ଆୟ ୫୧୧୨, ତଳଆଡୁ ଦ୍ବିତୀୟ
ନୂଆଦିଲ୍ଲୀ : ପଦାରେ ପଡିଲା ରାଜ୍ୟ ସରକାରଙ୍କ ବାସ୍ତବତା । ଚାଷୀଙ୍କ ଆୟ କ୍ଷେତ୍ରରେ ଲୋକସଭାରୁ ଆସିଲା ଚିନ୍ତାଜନକ ତଥ୍ୟ । ଚାଷୀଙ୍କ ଆୟ କ୍ଷେତ୍ରରେ ଓଡିଶାର ସ୍ଥିତି ଅତି ନଗଣ୍ୟ ରହିଛି । ଆଜି ଲୋକସଭାରେ କୋରାପୁଟ ସାଂସଦ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ସାମନାକୁ ଆସିଛି।
ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଦେଶର କୃଷକଙ୍କ ଆୟକୁ ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ଅଣତାରାକା ପ୍ରଶ୍ନ ପଚାରିଛନ୍ତି । ଦେଶରେ କୃଷକଙ୍କ ଆୟ ଓ ବ୍ୟୟକୁ ନେଇ କେନ୍ଦ୍ର ସରକାର କୌଣସି ବାର୍ଷିକ ସର୍ଭେ କରୁଛନ୍ତି କି ? ଯଦି ହଁ ତେବେ ତାହାର ତାଲିକା ପ୍ରଦାନ କରୁନ୍ତୁ ଏବଂ ସରକାର ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ କଣ ପଦକ୍ଷେପ ନେଇଛନ୍ତି ସେହି ସମସ୍ତ ବିଷୟରେ ତଥ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ।
ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଦେଶର ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ଗୁଡିକରେ ଦେଶର କୃଷିକଙ୍କ ଆୟକୁ ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ସର୍ଭେ କରାଯାଇଥିଲା । ଏହି ସର୍ଭେ ୨୦୧୯ ଜାନୁୟାରୀରୁ ୨୦୧୯ ଡିସେମ୍ବର ମଧ୍ୟରେ କରାଯାଇଥିଲା । ଏହି ତଥ୍ୟ ଅନୁସାରେ ସାରା ଦେଶରେ ପ୍ରତ୍ୟେକ ଚାଷୀ ପରିବାରର ଆୟ ତାଲିକା ପ୍ରଦାନ କରାଯାଇଛି। ଏହା ସହ କୃଷିକଙ୍କ ଆୟକୁ ଦ୍ବିଗୁଣତ କରିବା ପାଇଁ କେନ୍ଦ୍ର ସରକାର ମନ୍ତ୍ରୀସ୍ତରୀୟ କମିଟ ଗଠନ କରାଯାଇଛି ବୋଲି କୃଷିମନ୍ତ୍ରୀ ଉତ୍ତର ରଖିଛନ୍ତି ।
ତେବେ ଏହି ତାଲିକାରେ ଓଡିଶାର ଚାଷୀଙ୍କ ଆୟ ବେଶ ନଗଣ୍ୟ ରହିଛି । ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୃଷକଙ୍କ ଆୟ ତୁଳନାରେ ଓଡିଶାର କୃଷକ ପରିବାରର ମାସିକ ଆୟ ୫୧୧୨ ରହିଛି । ଯାହା ତଳଆଡୁ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡିଶା ତଳକୁ କେବଳ ଝାଡଖଣ୍ଡ ରହିଛି । ରାଜ୍ୟରେ କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ରାଜ୍ୟ ସରକାର କୃଷକଙ୍କ ବିକାଶ ନାମରେ ଡିଣ୍ଡିମ ପିଟୁଥିବାବେଳେ ବର୍ତ୍ତମାନ ଏହି ତଥ୍ୟ ରାଜ୍ୟରେ କୃଷକଙ୍କ ଦୟନୀୟ ଅବସ୍ଥାକୁ ପ୍ରଦର୍ଶିତ କରୁଛି । ଦେଶରେ କୃଷିକଙ୍କୁ ଆୟକୁ ଦ୍ବିଗୁଣିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ କୃଷକଙ୍କ ଅବସ୍ଥା ଯାହା ଥିବା ତାହା ହିଁ ରହିଛି ।
