୩ ଦିନର ପରିଶ୍ରମ ପରେ ପୁରୀ କେନାଲରୁ କୁମ୍ଭୀରକୁ କାବୁ କଲା ବନବିଭାଗ
ଭୁବନେଶ୍ୱର : ଗତ ୫ ଦିନ ଧରି ପୁରୀ କେନାଲରେ ଆତଙ୍କ ଖେଳାଉଥିବା କୁମ୍ଭୀର ଆଜି ଧରା ପଡିଛି। ଲଗାତାର ୩ ଦିନ ପରିଶ୍ରମ ପରେ ଆଜି ବନ ବିଭାଗ କୁମ୍ଭୀରଟିକୁ ଜାଲ ପକାଇ ଧରିବାରେ ସଫଳ ହୋଇଥିଲା। ଘର ପାଖ କେନାଲରେ କୁମ୍ଭୀର ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଥିଲେ।
ଶୁକ୍ରବାର ସକାଳେ ଭୁବନେଶ୍ୱରର ହଂଶପାଳ ସ୍ଥିତ ବସୁନ୍ଧରା ଆପାର୍ଟମେଣ୍ଟ ନିକଟ ପୁରୀ କେନାଲରେ ଏକ ୧୨ ଫୁଟ ଲମ୍ବର ଘାରିଆଲ୍ ଦେଖିବାକୁ ମିଳିଥିଲା। କୁମ୍ଭୀରଟି ମୁଣ୍ଡୁଳୀ ବ୍ୟାରେଜ ଦେଇ ମହାନଦୀ ଠାରୁ ଆସିଥିବା କୁହାଯାଉଛି। ଗତ ୨ ତାରିଖରେ ନନ୍ଦନକାନନ କର୍ତୃପକ୍ଷ ସାତକୋଶିଆରେ ୧୨ ଫୁଟ ଲମ୍ବର ଏହି କୁମ୍ଭୀରକୁ ଛାଡିଥିଲେ। ପ୍ରଜନନ କ୍ଷମତା ସହ ଏହାର ଗତିବିଧି ଜାଣିବା ପାଇଁ ଏଥିରେ ସାଟେଲାଇଟ୍ ଟ୍ରାନ୍ସମିଟର ଖଞ୍ଜା ଯାଇଛି। ବର୍ତ୍ତମାନ କୁମ୍ଭୀରଟିକୁ ଉଦ୍ଧାର କରି ନନ୍ଦନକାନନକୁ ନିଆଯାଇଛି।
