ବହୁ ବାଦ ବିବାଦ ପରେ ସୁବର୍ଣ୍ଣରେଖା ହାଇସ୍କୁଲ ଖେଳ ପଡିଆରେ ଆଦର୍ଶ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। କାର୍ଯ୍ୟ ଆରମ୍ଭ ଦେଖି ପୁଣି ବିରୋଧି ହାଇକୋର୍ଟକୁ ଯିବା ପାଇଁ ସଜବାଜ ହେଲାଣି
ବାଲିଆପାଳ : ବାଲିଆପାଳରେ ସରକାର ଏକ ଆଦର୍ଶ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ପରେ ବହୁ ବାଦ ବିବାଦରେ ବାଲିଆପାଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ସୁବର୍ଣ୍ଣରେଖା ହାଇସ୍କୁଲ ଖେଳ ପଡିଆରେ ଆଦର୍ଶ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ସ୍ଥିର ହୋଇ ଥିଲା।ମାତ୍ର ଏଠାରେ ବସ ଷ୍ଟାଣ୍ଡ କରାଇ ନ ଦେବା ପାଇଁ ଏକ ଗୋଷ୍ଠୀ ଜୋରଦାର ବିରୋଧ କରିଥିଲେ।କାରଣ ଖେଳ ପଡିଆକୁ ନଷ୍ଟ କରି ବସଷ୍ଟାଣ୍ଡ କରା ନ ଯାଉ।ମାତ୍ର ପ୍ରଶାସନ ଜନସାଧାରଣଙ୍କ କୌଣସି ବିରୋଧକୁ ଖାତିର ନ କରି ଉକ୍ତ ଖେଳ ପଡ଼ିଆରେ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ବାଧ୍ୟ ହୋଇ ବିରୋଧୀମାନେ ହାଇକୋର୍ଟର ଆଶ୍ରୟ ନେଇଥିଲେ।ଉକ୍ତ ଜାଗାରେ କୋର୍ଟର ନିର୍ଦ୍ଦେଶରେ ୧୪୪ ଧାରା ଜାରି କାର୍ଯ୍ୟକୁ ବନ୍ଦ ରଖିଥିଲେ।ବିରୋଧୀଙ୍କ ଆବେଦନରେ ହାଇକୋର୍ଟ ଜାରି କରିଥିବା ସ୍ଥିତାବସ୍ଥାର ସମୟସୀମା ପୁରିଯିବା ପରେ ଏବେ ଏଠାରେ ପୁଣି ବସ ଷ୍ଟାଣ୍ଡ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।ସଂପୃକ୍ତ ଠିକାଦାର ବସ ଷ୍ଟାଣ୍ଡ ପାଇଁ ଉଦ୍ଦିଷ୍ଟ ଜାଗା ଚାରିପଟେ ଆବଦ୍ଧ କରି କାର୍ଯ୍ୟ ଚଳାଇଛନ୍ତି।ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ଦେଖି ପୁଣି ବିରୋଧି ହାଇକୋର୍ଟକୁ ଯିବା ପାଇଁ ସଜବାଜ ହେଉଥିବା ଜଣା ଯାଇଛି।ପ୍ରକାଶ ଥାଉକି ବାଲିଆପାଳ ବ୍ଳକର ଏକ ମାତ୍ରଏହି ଖେଳ ପଡ଼ିଆରେ ବସ ଷ୍ଟାଣ୍ଡ କରାଗଲେ ସ୍କୁଲ ପିଳା ଅବା ସ୍ଥାନୀୟ ପିଲାଙ୍କ ଖେଳ ପଡିଆ ନଷ୍ଟ ହୋଇଯାଉଛି।ପିଲା ମାନେ ଖେଳିବେ କେଉଁଠି। ଖେଳ ପଡିଆ ଜାଗାକୁ ମାପ କରାଯାଇ ଜବରଦଖଲ ଉଛେଦ କରି ଏଠାରେ ବସଷ୍ଟାଣ୍ଡ ନିର୍ମାଣ ହେଲେ ଖେଳ ପଡିଆ ପାଇଁ ମଧ୍ୟ ଜାଗା ହୋଇପାରିବ ବୋଲି ସ୍ଥାନୀୟ ଜନ ସାଧାରାଣ ଓ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖା ପକ୍ଷରୁ ଦାବୀ କରାଯାଇଥିଲା। ମାତ୍ର ପ୍ରଶାସନ କୌଣସି ଜବର ଦଖାଲକୁ ନ ହଟାଇ ଖେଳ ପଡ଼ିଆରେ ବସ ଷ୍ଟାଣ୍ଡ କରିବା ପାଇଁ ଅଟଳ ରହିଛନ୍ତି।ସ୍ଥାନୀୟ ସୁବର୍ଣ୍ଣରେଖା ହାଇସ୍କୁଲର ପିଲାମାନେ ଉକ୍ତ ଖେଳ ପଡିଆରେ ଦୀର୍ଘ ବର୍ଷରୁ ଆଞ୍ଚଳିକ ସ୍ତରୀୟ, ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ଏପରିକି ଏଠାରେ ରାଜ୍ଯ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ସହିତ ସମସ୍ତ ରାଜନୈତିକ ଦଳର ସଭା ସମିତି ମଧ୍ୟ ହୋଇ ଆସୁଅଛି।ବସ ଷ୍ଟାଣ୍ଡ ଆରମ୍ଭ ପାଖରୁ ସବୁ ବନ୍ଦ ରହିଛି। ଖେଳ ପଡିଆ ନ ଥିବାରୁ ସ୍କୁଲ ପିଲାମାନେ ବର୍ତ୍ତମାନ ବାଧ୍ୟ ହୋଇ ସ୍ଥାନୀୟ ଫିଜିକାଲ କଲେଜର ଖେଳ ପଡିଆରେ ଖେଳ କୁଦ ପ୍ରତିଯୋଗିତା କରୁଛନ୍ତି।ଏପରିକି ସରକାର ପ୍ରତି ବ୍ଲକ ସ୍ତରୀୟ ଖେଳ କୁଦ ପାଇଁ ସରକାରୀ ଖେଳ ପଡିଆ ନ ଥିବାରୁ ବାଲିଆପାଳ ଫିଜିକାଲ କଲେଜରେ ଖେଳ କରୁଛନ୍ତି।
