ଚିତା ପରେ ହାତୀ ସଂରକ୍ଷଣ ପାଇଁ ଅଣ୍ଟାଭିଡ଼ିଲେ ଭାରତ ସରକାର
ନୂଆଦିଲ୍ଲୀ : ପ୍ରାୟ ୭୦ ବର୍ଷର ବ୍ୟବଧାନ ପରେ ଭାରତୀୟ ଜୈବ ବିବିଧତାରେ ସାମିଲ ହୋଇଛି ଚିତା। ଦେଶରେ ଏବେ ଚିତା ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରିଛନ୍ତି ଭାରତ ସରକାର। ହେଲେ ବର୍ତ୍ତମାନ ଚିତା ପରେ ଏବେ ଦେଶରେ ହାତୀ ସୁରକ୍ଷା ଉପରେ ଦିଆଯାଉଛି ଧ୍ୟାନ। କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଦେଶରେ ରହିଥିବା ହାତୀଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏନେଇ ସମଗ୍ର ଦେଶରେ ଚିତା ଭଳି ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଏହି ପ୍ରସଙ୍ଗରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି।
ବିଗତ କିଛି ବର୍ଷ ମଧ୍ୟରେ ଦେଶରେ ସଡ଼କ ଦୁର୍ଘଟଣାରେ ଅନେକ ହାତୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଚିନ୍ତିତ ହୋଇ ଉଠିଥିବା ରେଳ ମନ୍ତ୍ରଣାଳୟ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ ଦେଶରେ ରେଳ ଦୁର୍ଘଟଣା କାରଣରୁ ହେଉଥିବା ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ଏକ ପ୍ରୟାସ ଆରମ୍ଭ କରିଛି ପରିବେଶ ମନ୍ତ୍ରଣାଳୟ। ଏନେଇ ସମଗ୍ର ଦେଶରେ ୧୮୦୦ କିଲୋମିଟର ଦୂରତା ବିଶିଷ୍ଟ ରେଳ ଟ୍ରାକ କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଯେଉଁଠାରେ ଏପରି ଘଟଣା ଅଧିକ ଘଟିବାର ସମ୍ଭାବନା ରହିଛି।
ଦେଶରେ ହାତୀ ସୁରକ୍ଷା ଅଭିଯାନ ଅଧିନରେ ଉଭୟ ପରିବେଶ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ନିକଟରେ ହୋଇଥିବା ପରୀକ୍ଷଣ ଆଧାରରେ ଏପରି ୧୫-୨୦ ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ହାତୀ ରେଳ ଦୁର୍ଘଟଣାର ଶୀକାର ହୋଇଥାନ୍ତି। ଏଠାରେ ହାତୀଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯିବ ଯାହା ଦ୍ୱାରା ରେଳ ଧାରଣା ଅତିକ୍ରମ କରିବା ବେଳେ ହାତୀ ପଲକୁ ଯେ ପରି କୌଣସି ଅସୁବିଧା ଭୋଗିବାକୁ ପଡି଼ବାକୁ ନାହିଁ।
ସରକାରୀ ଆକଳନ ଅନୁଯାୟୀ ୧୦-୧୫ ବର୍ଷ ପୂର୍ବେ ଦେଶରେ ହାତୀ ସଂଖ୍ୟା ପ୍ରାୟ ୧ ଲକ୍ଷ ଥିଲା। ହେଲେ ବର୍ତ୍ତମାନ ସମୟରେ ହାତୀ ସଂଖ୍ୟାରେ ଏକ ବଡ଼ ହ୍ରାସ ଘଟିଛି। ଦକ୍ଷିଣାତ୍ୟ ରାଜ୍ୟ କେରଳରେ ହାତୀ ସଂଖ୍ୟା କମିବା ସହ ସର୍ବାଧିକ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ହାତୀକୁ ହତ୍ୟା କିମ୍ବା କ୍ଷତି ପହଞ୍ଚାଇବା ଦେଶର ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ।
ଦେଶରେ ହାତୀଙ୍କ ସଂରକ୍ଷଣ ପାଇଁ କରାଯାଉଥିବ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଗତ ୮ ବର୍ଷ ମଧ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସେ। ଅଗଷ୍ଟ ୧୨ ତାରିଖ ବିଶ୍ୱ ହସ୍ତୀ ଦିବସ ଅବସରରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ହାତୀ ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ୱ ହାତୀ ଦିବସରେ ଆପଣ ଏହା ଜାଣି ଖୁସି ହେବେ ଯେ ଏସୀୟ ହାତୀଙ୍କ ମୋଟ ସଂଖ୍ୟାର ପ୍ରାୟ ୬୦% ଭାରତରେ ଅଛନ୍ତି। ବିଗତ ୮ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି। ହାତୀ ସୁରକ୍ଷା ସହିତ ଜଡିତ ସମସ୍ତ ବ୍ୟକ୍ତି ଏବଂ ସଂସ୍ଥାର ଉଦ୍ୟମକୁ ମୁଁ ମଧ୍ୟ ପ୍ରଶଂସା କରୁଛି। ହାତୀ ସଂରକ୍ଷଣ କ୍ଷେତ୍ରରେ ମିଳିଥିବା ସଫଳତା ମାନବ-ପଶୁ ବିବାଦକୁ ହ୍ରାସ କରିବା ପାଇଁ ଭାରତର ବୃହତ ପ୍ରୟାସ ପରିପ୍ରେକ୍ଷୀରେ ଦେଖାଯିବା ଆବଶ୍ୟକ। ପରିବେଶ ଜନିତ ସଚେତନତାକୁ ଆଗକୁ ନେବାରେ ସ୍ଥାନୀୟ ସମ୍ପ୍ରଦାୟ ଏବଂ ସେମାନଙ୍କର ପାରମ୍ପାରିକ ଜ୍ଞାନକୌଶଳକୁ ଏକତ୍ରିତ କରାଯିବା ଆବଶ୍ୟକ। ଗତ ୨୦୧୦ ବର୍ଷରେ ହାତୀକୁ ଦେଶର ଜାତୀୟ ଐତିହ୍ୟ ପ୍ରାଣୀ ଭାବେ ଘୋଷଣା କରିଥିଲେ ଭାରତ ସରକାର।
