୩ ଘଂଟାର ଜେରା ପରେ ଇଡି ଅଫିସ୍ରୁ ବାହାରିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦୀର୍ଘ ୩ ଘଂଟାର ଜେରା ପରେ ପ୍ରବର୍ତନ ନିର୍ଦେଶାଳୟ(ଇଡି) ଅଫିସ୍?ରୁ ବାହାରକୁ ବାହାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ଶହ ଶହ କଂଗ୍ରେସ କର୍ମୀମାନଙ୍କ ‘ଜିନ୍ଦାବାଦ୍’ ଧ୍ୱନିରେ ମୁଖରିତ ବାତାବରଣରେ ସୋମବାର କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ନିମନ୍ତେ ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ । ସେଠାରେ ପଚରାଉଚରା ସରିବା ପରେ ରାହୁଲ ଅଫିସ୍ରୁ ବାହାରି ଆସିଥିବା ସୂଚନା ରହିଛି । ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରବର୍ତନ ନିର୍ଦେଶାଳୟକୁ ଯାଇଥିଲେ ।
‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ୫/୬ ଘଂଟା ଜେରା କରାଯାଇପାରେ ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ ପାଇଥିଲା । ମାତ୍ର ୩ ଘଂଟାର ଜେରା ପରେ ରାହୁଲଙ୍କୁ ଛାଡ଼ି ଦିଆଯାଇଛି । ପ୍ରବର୍ତନ ନିର୍ଦେଶାଳୟ ପ୍ରଶ୍ନଗୁଡ଼ିକର ସତ ସତ ଉତର ଦେବେ ବୋଲି ରାହୁଲ୍ ଗାନ୍ଧୀ ଶପଥ ନେବା ପରେ ପଚରାଉଚରା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରବର୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍ଙ୍କ ବୟାନ ରେକର୍ଡ କରିଛନ୍ତି । ‘ପିଏମ୍ଏଲ୍ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ୱାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍ କରିଥିଲେ ବୋଲି ସୂଚନା ରହିଛି । ସୋମବାର ସକାଳେ ଆରମ୍ଭ ହୋଇଥିବା ପ୍ରତିବାଦ ପଦଯାତ୍ରାର ରାହୁଲ୍ ଗାନ୍ଧୀ ନେତୃତ୍ୱ ନେଇଥିଲେ । କିନ୍ତୁ, ନିରାପତା ଦୃଷ୍ଟିରୁ ରାହୁଲ୍ ଓ ପ୍ରିୟଙ୍କାଙ୍କୁ କାର୍ରେ ବସିବାକୁ ପଡ଼ିଥିଲା । ପ୍ରତିବାଦ ପ୍ରଦର୍ଶନପୂର୍ବକ ସମ୍ପ୍ରତି କଂଗ୍ରେସ କର୍ମୀମାନେ ପ୍ରବର୍ତନ ନିର୍ଦେଶାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।
