ମୃତ୍ୟୁ ପୂର୍ବରୁ ଡିପ୍ରେସନରେ ଥିଲେ ରାଇମୋହନ!
ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି କମିଶନରେଟ୍ ପୋଲିସ୍ । ଏହା ମଧ୍ୟରେ ମୃତ୍ୟୁ ପୂର୍ବରୁ ରାଇମୋହନ ମେଂଟାଲ ଡିପ୍ରେସନରେ ଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ସେ କହିଛନ୍ତି ଯେ ବର୍ତମାନ ମେଂଚଶ୍ୱର ଆଇଆଇସିଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ପରିବାର, ପଡ଼ୋଶୀ, ଡ୍ରାଇଭର, ପରିଚିତ ଲୋକଙ୍କୁ ପଚରାଉଚରା କରାଯାଉଛି । ରାଇମୋହନଙ୍କ ଫୋନ୍ ଜବତ କରିଯାଇଛି, ସେଥିରୁ କିଛି ସୁରାକ ମିଳିପାରେ ବୋଲି ଆଶା କରାଯାଉଛି । ତଦନ୍ତରୁ ରାଇମୋହନ ମାନସିକ ଅବସାଦରେ ଥିବା ପରି ଜଣାପଡ଼ୁଛି । ଏହା ପଛର କାରଣ ପରିବାର ଲୋକ ନିର୍ଦ୍ଦିଷ୍ଟ ଭାବେ କହିପାରୁନାହାନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହୋଇପାରିବ ।
ସେହିପରି ପୂର୍ବରୁ ଥରେ ରାଇମୋହନ ମେଂଚଶ୍ୱର ଥାନାକୁ ଆସିଥିଲେ । ତେବେ ସେ ଏକ ବ୍ୟକ୍ତିଗତ କାମ ପାଇଁ ଆସିଥିଲେ ବୋଲି କହିଛନ୍ତି ଡିସିପି ।
ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ପ୍ରାଚୀବିହାର ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ଭାବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପରିବାର ଲୋକଙ୍କୁ ପଚରାଉଚରା ଜାରି ରହିଛି ।
