ପୋଲିସକୁ ଗୋଡ଼େଇ ଗୋଡ଼େଇ ହାଣିଲା ଅଭିଯୁକ୍ତ : ୫ ଆହତ, ଅଭିଯୁକ୍ତ ଅଟକ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ଅଭାବନୀୟ ଘଟଣା । ମାରଣାସ୍ତ୍ର ଧରି ପୋଲିସକୁ ଗୋଡ଼େଇ ଗୋଡ଼େଇ ହାଣିଲା ଅଭିଯୁକ୍ତ । ଆକ୍ରମଣରେ ଜଣେ ଏସ୍ଆଇ ସମେତ, ଦୁଇ ଜଣ ଏଏସ୍ଆଇ ଓ ଦୁଇ ଜଣ କନେଷ୍ଟବଳ ଆହତ । ନୀଳଗିରି ଥାନା ଜଡ଼ିଦା ପଞ୍ଚାୟତ ଜାମୁଡ଼ିହି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆହତ ପୋଲିସଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଶୁକ୍ରବାର ନୀଳଗିରି ଥାନା ଅଧିନ ଜଡ଼ିଦା ପଞ୍ଚାୟତର ଜାମୁଡ଼ିହି ଗାଁର ପଦ୍ମଲୋଚନ ପାତ୍ର(୫୩)ଙ୍କ ନାମରେ ଗତ ୨୦୨୧ ମସିହାରେ ଏକ ହତ୍ୟା ଉଦ୍ୟମ ଅଭିଯୋଗରେ ମାନ୍ୟବର କୋର୍ଟରୁ ଆସିଥିବା ସମନକୁ ଦେବା ପାଇଁ ନୀଳଗିରି ଥାନାର ଗ୍ରାମରଖି ଶ୍ରୀ ପାତ୍ରଙ୍କ ଘରକୁ ଯାଇଥିଲେ । ଗ୍ରାମରଖିକୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାରୁ ଗ୍ରାମରଖି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ନୀଳଗିରି ପୋଲିସ ସଦଳବଳେ ପହଞ୍ଚିଥିଲେ । ପୋଲିସକୁ ଦେଖି ଶ୍ରୀ ପାତ୍ର ସେମାନଙ୍କୁ ଧାରୁଆ କଟୁରୀରେ ଆକ୍ରମଣ କରିଥିଲା । କିଛି ସମୟର ଖଣ୍ଡ ଯୁଦ୍ଧ ଶେଷରେ ଅଭିଯୁକ୍ତକୁ କାବୁ କରିବା ସହ କଟୁରୀକୁ ଜବଦ କରିଥିଲା ପୋଲିସ । ସେହିପରି ଶ୍ରୀ ପାତ୍ରକୁ ନୀଳଗିରିରେ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି । ଅଭିଯୁକ୍ତର ଆକ୍ରମଣରେ ନୀଳଗିରି ଥାନା ଏସ୍ଆଇ ବିରଞ୍ଚି ସାହୁ, ଏଏସ୍ଆଇ ପ୍ରବୋଧ ମଲିକ, ଅନନ୍ତ ମୁର୍ମୁ, କନଷ୍ଟେବଳ ଅର୍ଜୁ ମାଡ଼ିଙ୍ଗା ଓ ଦୀପକ ପ୍ରଧାନଙ୍କୁ ନୀଳଗିରି ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।
