ରାଜ୍ୟରେ ଗଠନ ହେବ ‘ଦୁର୍ଘଟଣା ପାଣ୍ଠି’ ! ଏଣିକି ସରକାରୀ ଗାଡ଼ି ଧକ୍କାରେ ମୃତାହତ ହେଲେ ମିଳିବ କ୍ଷତିପୂରଣ ରାଶି
ଭୁବନେଶ୍ୱର : ରାଜ୍ୟରେ ସରକାରୀ ଗାଡି ଧକ୍କାରେ ଆହତ କିମ୍ବା ମୃତାହତ ହେଲେ ଆହତ ତଥା ମୃତକଙ୍କ ପରିବାରବର୍ଗ ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦୁର୍ଘଟଣା ପାଣ୍ଠି ଗଠନ କରାଯିବ । ଏଥି ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅର୍ଥ ବିଭାଗକୁ ଅନୁରୋଧ କରାଯାଇଛି । ଏଥିସହ ଗତ ତିନିବର୍ଷ ମଧ୍ୟରେ ହୋଇଥିବା ଯୋଗ୍ୟ ଆବେଦନକୁ କ୍ଷତିପୂରଣ ରାଶି ମଞ୍ଜୁର କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏଣିକି ସରକାରୀ ଗାଡ଼ି ଧକ୍କାରେ ମୃତାହତ ହେଲେ ମିଳିବ କ୍ଷତିପୂରଣ ରାଶି । ଦୁର୍ଘଟଣାରେ ଆହତ ତଥା ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ରାଶି ଦେବା ନିମନ୍ତେ ‘ଦୁର୍ଘଟଣା ପାଣ୍ଠି’ (ଆକ୍ସିଡେଣ୍ଟ ଫଣ୍ଡ) ଗଠନ କରାଯିବ । ଏଥିସହ ଗତ ତିନି ବର୍ଷ ମଧ୍ୟରେ ହୋଇଥିବା ଯୋଗ୍ୟ ଆବେଦନକୁ କ୍ଷତିପୂରଣ ରାଶି ମଞ୍ଜୁର କରାଯିବ । ଏଥିପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅର୍ଥ ବିଭାଗକୁ କୁହାଯାଇଛି । ଅପରପକ୍ଷେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ର ଦୁର୍ଘଟଣା ପାଣ୍ଠି ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମୋଟର ଯାନ ଆଇନ୍ର ଧାରା ୧୪୬ ଅନୁସାରେ ସରକାରୀ ଗାଡ଼ିର ବୀମା ରହିବା ଆବଶ୍ୟକ ନାହିଁ; କିନ୍ତୁ ଦୁର୍ଘଟଣା ପାଣ୍ଠି ରହିବା ଆବଶ୍ୟକ । ଘରୋଇ କିମ୍ବା ବାଣିଜ୍ୟିକ ଗାଡ଼ି ଦୁର୍ଘଟଣାରେ ଆହତ, ମୃତ୍ୟୁ ହେଲେ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ କରିଥାଏ । କିନ୍ତୁ ସରକାରୀ ଗାଡ଼ି ବୀମା ନିୟମରୁ ଛାଡ଼ ପାଇଥିବାରୁ ନିଜସ୍ୱ ପାଣ୍ଠିରୁ ମୃତାହତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଜରୁରୀ । ମୋଟର ଆକ୍ସିଡେଣ୍ଟ ଟ୍ରିବୁନାଲ ବିଚାର ପରେ ସମ୍ପୃକ୍ତ ମୃତାହତଙ୍କୁ କ୍ଷତିପୂରଣ ରାଶି ଏହି ପାଣ୍ଠିରୁ ଦିଆଯାଇ ଥାଏ । ପରିବହନ ବିଭାଗ ଏପର୍ଯ୍ୟନ୍ତ ଦୁର୍ଘଟଣା ପାଣ୍ଠି ପାଇଁ ଅର୍ଥ ବ୍ୟବସ୍ଥା କରିପାରି ନଥିଲା ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଭାଗ ଦୁର୍ଘଟଣା ପାଣ୍ଠି ଗଠନ କରିବାକୁ ଯାଉଛି ।
ନିୟମ ଅନୁସାରେ ସରକାରୀ ଡ୍ୟୁଟିରେ ନିୟୋଜିତ ଗାଡ଼ି ଧକ୍କାରେ ମୃତାହତ କ୍ଷତିପୂରଣ ରାଶି ପାଇଁ ଆବେଦନ କଲେ ତାହା ମୋଟର ଆକ୍ସିଡେଣ୍ଟ ଟ୍ରିବୁନାଲ ଦ୍ୱାରା ବିଚାର କରାଯାଇଥାଏ । ସମ୍ପୃକ୍ତ ଆବେଦନ ବୈଧ କି ନୁହେଁ, ସମ୍ପୃକ୍ତ ବ୍ୟକ୍ତି କେତେ କ୍ଷତିପୂରଣ ରାଶି ପାଇବା ଉଚିତ୍, ଆଦିର ବିଚାର କରାଯାଇଥାଏ । ଶୁଣାଣି ପରେ ଟ୍ରିବୁନାଲଙ୍କ ରାୟ ଅନୁସାରେ ବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଏ । ତିନି ମାସ ମଧ୍ୟରେ କ୍ଷତିପୂରଣ ରାଶି ମିଳିବା ନିୟମ ରହିଛି । ଯଦି ବିଭାଗ ଦୁର୍ଘଟଣା ପାଣ୍ଠି ଗଠନ କରି ନ ଥିବ ତା’ ହେଲେ ସରକାରୀ ଗାଡ଼ିକୁ ବୀମା ନିୟମର ଅନ୍ତର୍ଭୁକ୍ତ ହେବା ବାଧ୍ୟତାମୂଳକ ହେବ ଏବଂ କ୍ଷତିପୂରଣ ରାଶି ପାଇଁ ଦାବି କରାଯାଇ ପାରିବ ନାହିଁ । ଗାଡିର ତୃତୀୟ ପକ୍ଷ ବୀମା କରାଯିବ । ପରିବହନ ବିଭାଗ ଯୁଗ୍ମ ସଚିବ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖି ଦୁର୍ଘଟଣା ପାଣ୍ଠି ପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଅର୍ଥ ବିଭାଗର ପରବର୍ତ୍ତି ପଦକ୍ଷେପ ପରେ ଅତିରିକ୍ତ ସିଲିସିଟର୍ ଜେନେରାଲ ସୁପ୍ରିମକୋର୍ଟର ସତ୍ୟପାଠ ଦାଖଲ କରି ଆବେଦନ ଅନୁପାଳନ ସମ୍ପର୍କରେ ସୂଚନା ଦେବେ ବୋଲି କୁହାଯାଇଛି । ବିଭାଗ ପକ୍ଷରୁ ଓଏସ୍ଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ କୁହାଯାଇଛି ଯେ ୨୦୧୩-୧୪ ଆର୍ôଥକ ବର୍ଷରେ ନିଗମର ଗାଡ଼ି ପାଇଁ ୫ କୋଟି ଟଙ୍କାର ଦୁର୍ଘଟଣା ପାଣ୍ଠି ଗଠନ କରାଯାଇଥିଲା । କିନ୍ତୁ ଏହି ପାଣ୍ଠିରୁ କେତେ ଟଙ୍କା ଦୁର୍ଘଟଣା କ୍ଷତିପୂରଣ ବାବଦରେ ପୀଡ଼ିତ ପରିବାରକୁ ଦିଆଯାଇଛି ତାହାର ସୂଚନା ବିଭାଗ ପାଖରେ ନାହିଁ । ତେଣୁ ଖର୍ଚ୍ଚ ଓ ବଳକା ପାଣ୍ଠିର ସବିଶେଷ ସୂଚନା ବିଭାଗକୁ ଦିଆଯିବା ସହ ଦୁର୍ଘଟଣା ପାଣ୍ଠି ପରିମାଣ ବୃଦ୍ଧି କରିବା ପାଇଁ କୁହାଯାଇଛି ।
