ଅବକାରୀ ଚଢ଼ାଉ : ପୋଚ ନଷ୍ଟ ସହ ଦେଶୀମଦ ଜବତ ସହ ଦୁଇ ଗିରଫ
ସୋର : ବାଲେଶ୍ୱର ଜିଲା ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଇ ପୋଚ ନଷ୍ଟ କରିବା ସହିତ ଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୋର ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ା ଏବଂ ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ଆଇଆଇସି ଗାଲୁରାମ ସୋରେନଙ୍କ ନେତୃତ୍ୱରେ ଶୁକ୍ରବାର ଏକ ଟିମ ବିଲବାଙ୍କିଆ ଗ୍ରାମରେ ଚାଲିଥିବା ଏକ ଦେଶୀମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରି ଦୁଇ ଶହ ଲିଟର ଗୁଡ଼ ପୋଚ ନଷ୍ଟ କରିବା ସହିତ ୨୦ ଲିଟର ଦେଶୀମଦ ସହ ଅଭିଯୁକ୍ତ ପ୍ରହ୍ଲାଦ ମାହାନାକୁ ଗିରଫ କରିଥିଲେ । ସେହିପରି ସୁଲତାନପୁର ଗ୍ରାମରେ ଶାନ୍ତିଲତା ମହାଳିକ ନିକଟରୁ ୧୫ ଲିଟର ଦେଶୀମଦ ଜବତ କରିବା ସହ ଶାନ୍ତିଲତାକୁ ଗିରଫ କରିଥିଲେ । ଶୁକ୍ରବାର ଅପରାହ୍ନରେ ଉଭୟଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛ । ଏହି ଚଢ଼ାଉରେ ସୁରଜ ତଗା, ଉର୍ମିଳା ବେହେରା, ବିଦ୍ୟାଧର ବିନ୍ଧାଣି, ବୀରେନ୍ଦ୍ର ସିଂ, ଶଶୀକାନ୍ତ ସାହୁ ଏବଂ ରଶ୍ମିରେଖା ପାତ୍ର ସାମିଲ ଥିଲେ ।
