ଟିଏମସିରେ ଯୋଗଦେଲେ ଅଭିଜିତ୍ ମୁଖାର୍ଜୀ
କୋଲକାତା : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ବଡ଼ ପୁଅ ଅଭିଜିତ୍ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କୋଲକତାରେ ଟିଏମସିର ବଡ଼ ବଡ଼ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଛାଡିବା ପରେ ଦଳକୁ ବଡ ଝଟକା ଲାଗିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମଦଳ ଓ କଂଗ୍ରେସର ମେଣ୍ଟକୁ ନେଇ ଅଭିଜିତଙ୍କ ମତ ଭିନ୍ନ ଥିଲା । ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ସେ କହିଥିଲେ କି ଯଦି କଂଗ୍ରେସ ବାମଦଳ ସହ ମେଣ୍ଟ ନକରି ଏକା ନିର୍ବାଚନ ଲଢିଥାନ୍ତା ତେବେ ନିଶ୍ଚିନ୍ତ ଭାବେ କଂଗ୍ରେସର ଭୋଟ ବଢିଥାନ୍ତା ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଦାୟିତ୍ୱ ଯେତେବେଳେ ଅଧିର ରଞ୍ଜନ ଚୌଧୁରୀଙ୍କୁ ଦିଆଗଲା ସେବେଠାରୁ ଅଭିଜିତ ଟିଏମସିରେ ମିଶିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ହେଲେ ଆଜି ସେ ଟିଏମସିରେ ମିଶିବା ପରେ କଂଗ୍ରେସ ନେତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ଅନ୍ୟପଟେ ଅଭିଜିତ ଟିଏମସିରେ ଯୋଗ ଦେଇଥିଲେ ବି ତାଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ ଏବେ ବି କଂଗ୍ରେସରେ ଅଛନ୍ତି । ସେ ଦିଲ୍ଲୀରେ ରାଜନୀତି କରୁଛନ୍ତି । ସେ ୨୦୧୫ ରେ ଗ୍ରେଟର ନୋଏଡା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ତେବେ ଭାଇ ଟିଏମସିରେ ଯୋଗ ଦେବା ପରେ ଶର୍ମିଷ୍ଠା ଟୁଇଟ କରି ଦୁଃଖୀ ବୋଲି ଲେଖିଛନ୍ତି ।
