ଶେଷଥର ପାଇଁ ମଇଦାନକୁ ଓହ୍ଲାଇଲେ ଫିଞ୍ଚ, ହେଲେ ବିଫଳ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟିମର ସୀମିତ ଓଭରର ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ରହଣ ପୂର୍ବରୁ ଆଜି ଶେଷ ଥର ପାଇଁ ସେ ମୈଦାନକୁ ଓହ୍ଲାଇଥିଲେ। ଦୁର୍ବଳ ପ୍ରଦର୍ଶନ ପାଇଁ ଦୀର୍ଘ ଦିନରୁ ବଡ଼ ସ୍କୋର କରିପାରିନାହାନ୍ତି। ଫଳରେ ସେ ଚାପରେ ରହିଥିଲେ। ଯାହା ପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶେଷ ମ୍ୟାଚରେ ବି ସେ ତାଙ୍କର ପ୍ରଶଂସକଙ୍କୁ ନିରାଶ କରିଥିଲେ।
ସୂଚନାଯୋଗ୍ୟ ନ୍ୟୁଜିଲାଣ୍ଡ ପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଶେଷ ଥର ପାଇଁ ଖେଳିଥିଲେ। ତେବେ ସବୁଥର ଭଳି ଅନ୍ତିମ ଦିନିକିଆରେ ସେ ପାଳି ଆରମ୍ଭ କରିବାକୁ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ସବୁଥର ଭଳି ଅନ୍ତିମ ମ୍ୟାଚରେ ମଧ୍ୟ ବିଫଳ ହୋଇଥିଲେ। ମାତ୍ର ୧୩ଟି ବଲ ଖେଳି ୫ ରନ କରି ଆଉଟ ହୋଇଥିଲେ। ଫିଞ୍ଚ ଚଳିତ ବର୍ଷ ୧୪ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ। କ୍ୟାରିୟର ମଧ୍ୟରେ ୧୩ଥର ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଏପରିକି ପାଞ୍ଚଥର ପାଇଁ ବିନା ରନରେ ପାଭିଲିୟନକୁ ଫେରିଥିଲେ।
ଏହି ବରିଷ୍ଠ ବ୍ୟାଟସମ୍ୟାନ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମାତ୍ର ୧୦ ରନ କରି ଫ୍ୟାନମାନଙ୍କୁ ନିରାଶ କରିଛନ୍ତି। କ୍ରେନ୍ସରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡର ସିରିଜର ପ୍ରଥମ ମ୍ୟାଚରେ ୫ ରନ କରିଥିବା ଫିଞ୍ଚ ଦ୍ୱିତୀୟ ମ୍ୟାଚରେ ଶୂନ ରନ କରି ଆଉଟ ହୋଇଥିଲେ। ତୃତୀୟ ମ୍ୟାଚରେ ୧୩ ବଲ ଖେଳି ୫ ରନ କରି ଆଉଟ ହୋଇଥିଲେ। ଫଳରେ ତାଙ୍କ କ୍ୟାରିୟରର ଅନ୍ତିମ ଦିନିକିଆ ସିରିଜ ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଥିଲା।
ସେହିପରି ତାଙ୍କ ଦିନିକିଆ କ୍ୟାରିୟର କଥା ଦେଖାଯାଏ ତେବେ ୨୦୧୩ ମସିହାରେ ଦିନିକିଆରେ ପଦାର୍ପଣ କରିଥିଲେ ଫିଞ୍ଚ। ୯ ବର୍ଷ ମଧ୍ୟରେ ଫିଞ୍ଚ ମାତ୍ର ୧୪୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ୧୪୨ଟି ଇନିଂସରେ ୩ ଥର ଅପରାଜିତ ହୋଇଥିଲେ। ୧୪୨ଟି ଇନିଂସ ଖେଳି ମୋଟ ୫୪୦୬ ରନ କରିଛନ୍ତି। ଦିନିକିଆ ଫର୍ମାଟରେ ତାଙ୍କର ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ଅପରାଜିତ ୧୫୩ ରନ। ୩୮.୮୯ ପ୍ରତିଶତ ଓ ୮୭.୭୩ ଷ୍ଟ୍ରାଇକ ରେଟ ରହିଛି ଫିଞ୍ଚଙ୍କର। ଦିନିକିଆ କ୍ୟାରିୟରରେ ୧୭ଟି ଶତକ ଓ ୩୦ଟି ଅର୍ଦ୍ଧଶତକ କରିଛନ୍ତି ଫିଞ୍ଚ। ୧୬ଥର ବିନା ରନରେ ଆଉଟ ହୋଇ ନିରାଶ ହୋଇଥିଲେ ଫିଞ୍ଚ।
