ପାନ୍ ସହ ଆଧାର ସଂଯୋଗ ସମୟସୀମା ୨୦୧୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀ ସଂକ୍ରମଣ ହେତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପର୍ମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର’ (ପାନ୍) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଶୁକ୍ରବାର ଏକ ‘ପ୍ରେସ୍ ରିଲିଜ୍’ରେ ଆୟକର ବିଭାଗ ସୂଚନା ଦେଇଛି ଯେ, କୋଭିଡ୍-୧୯ ମହାମାରୀ କାରଣରୁ କରଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରତି ଦୃଷ୍ଟି ଦେଇ ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଥିବା ‘ଆଧାର-ପାନ୍’ ସଂଯୋଗ ଶେଷ ତାରିଖକୁ ଆହୁରି ୬ ମାସ ବୃଦ୍ଧି କରାଗଲା। ଏହାର ସମୟସୀମା ପୁନର୍ବାର ବଢ଼ାଯାଉ ବୋଲି କେତେକ କରଦାତା ନିବେଦନ କରିଥିଲେ।
‘ଆଧାର-ପାନ୍’ ସଂଯୋଗ ଶେଷ ତାରିଖ ସଂଶୋଧନ କରିବାରେ ଚଳିତ ବର୍ଷ ଏହା ହେଉଛି କେନ୍ଦ୍ର ସରକାରଙ୍କ ଚତୁର୍ଥ ନିଷ୍ପତ୍ତି। କରୋନାଭାଇରସ୍ ମହାମାରୀର ଦ୍ବିତୀୟ ଲହରଜନିତ ବାଧାବିଘ୍ନ ହେତୁ ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ‘ଆଧାର-ପାନ୍’ ସଂଯୋଗ ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଥିଲେ।
