ବାଲେଶ୍ୱର : ଜମି ବ୍ୟବସାୟୀଙ୍କୁ ନେଇ ଯୁବକଙ୍କୁ ହତ୍ୟା
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଅପରାଧ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ଲୁଟ୍, ଛିନ୍ତାଇ ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଘଟଣା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଶିଳ୍ପାଞ୍ଚଳ ଥାନା ଅଧୀନସ୍ତ ଗଣେଶ୍ୱରପୁର ଗ୍ରାମର ଜଣେ ଜମି ବ୍ୟବସାୟୀ ରମେଶ ବେହେରା (୩୬)ଙ୍କୁ ଦୁର୍ବୃତ୍ତମାନେ ଶନିବାର ରାତି ୮ଟା ୩୦ମିନିଟ୍ ସମୟରେ ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଯେ,ରମେଶ ଜଣେ ଜଣାଶୁଣା ଜମି ବେପାରୀ ସହ ସତ୍ୟମ ଡେଭଲପର୍ସର ମାଲିକ। ସେ ରେମୁଣା ଗୋଲେଇ-ବାଲଗୋପାଲପୁର ବାଇପାସ୍ ରାସ୍ତା ଅଚ୍ୟୁତପୁର ଗାଁରେ ପାଖରେ ଥିବା ସତ୍ୟନଗରରେ ପ୍ଲଟ କିଣିଥିଲେ। ଶନିବାର ସନ୍ଧ୍ୟା ସମୟରେ ସେ ବାଇପାସ ରାସ୍ତାର ୧୦୦ ମିଟର ଦୂରରେ ଥୁବା ନିଜ ପ୍ଲଟ ନିକଟକୁ ଯାଇଥିଲେ । ଏହି ସମୟରେ କେତେକ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡକୁ ହାଣିଦେବା କାରଣରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା ବିବାଦ କିମ୍ବା ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ମାରଣାସ୍ତ୍ରର ଦୁଇଟି ବେଣ୍ଟ ପଡ଼ିଥିବା ଦେଖାଯାଇଥିଲା । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସତ୍ୟମ ଡେଭଲପର ଅଫିସର ସିସିଟିଭି ଯାଞ୍ଚ କରିଛି । ହେଲେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇପାରିନାହିଁ ।
